ଘରୋଇ ବସ୍‌ ଧର୍ମଘଟରେ ହନ୍ତସନ୍ତ ହେଲେ ଯାତ୍ରୀ

ଉମରକୋଟ, ୨।୧୦ (ସନ୍ତୋଷ ଶତପଥୀ): ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ଚଳାଚଳକୁ ବିରୋଧ କରି ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ ଓ ଅବିଭକ୍ତ କୋରାପୁଟ ଘରୋଇ ବସ୍‌ ମାଲିକ ସଂଘର ୨୪ ଘଣ୍ଟିଆ ବନ୍ଦ ଡାକରାକୁ ଉମରକୋଟ ବସ୍‌ ମାଲିକ ସଂଘ ସମର୍ଥନ ଜଣାଇଛି। ଫଳରେ ସୋମବାର ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ବସ୍‌ ଚଳାଚଳ କରି ନ ଥିଲା। ସରକାରୀ ବସ ଚଳାଚଳ ସ୍ବାଭାବିକ ଥିଲା। କିନ୍ତୁ ଯେତିକି ପରିମାଣରେ ସରକାରୀ ବସ ଚଳାଚଳ କରୁଛି ସେତିକି ପର୍ଯ୍ୟାପ୍ତ ନ ଥିଲା। ବନ୍ଦ ଫଳରେ ଅନେକ ଯାତ୍ରୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ଏ ବିଷୟରେ ଜାଣି ନ ଥିବା ନବରଙ୍ଗପୁର, ଡାବୁଗାଁ, ବୋରିଗୁମ୍ମା, ଜୟପୁର ଯିବା ପାଇଁ ଗ୍ରାମାଞ୍ଚଳରୁ ଯାତ୍ରୀମାନେ ଉମରକୋଟ ଆସିଥିଲେ। ହେଲେ ବସ୍‌ ନ ପାଇ ସେମାନେ ଅନ୍ୟ ବ୍ୟବସ୍ଥା କରି ଗନ୍ତବ୍ୟ ସ୍ଥଳକୁ ଯାଇଛନ୍ତି। ସେହିଭଳି କେତେଜଣ ଯାତ୍ରୀଙ୍କ ପାଖରେ ଅଟୋ ବା ଭଡ଼ା ଗାଡିରେ ଯିବା ପାଇଁ ପର୍ଯ୍ୟାପ୍ତ ଟଙ୍କା ନ ଥିବା ଯୋଗୁ ସେମାନେ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରି ବସିଥିଲେ।
ଲକ୍ଷ୍ମୀ ଯୋଜନାରେ ବାହାର ରାଜ୍ୟର ଏକ ଘରୋଇ କମ୍ପାନୀରୁ ସରକାର ବସ୍‌ ଆଣି ବିଭିନ୍ନ ପଞ୍ଚାୟତରୁ ଭୁବନେଶ୍ୱର ଯାଏ ଚଳାଇବାକୁ ଯୋଜନା କରୁଛନ୍ତି। ଏହାର ବିରୋଧ କରାଯାଉଛି ବୋଲି ଉମରକୋଟ ବସ୍‌ ମାଲିକ ସଂଘ ସମ୍ପାଦକ ପେଣ୍ଡ୍ରା ରାଓ ସୂଚନା ଦେଇଛନ୍ତି। ଏଥିସହ ଘରୋଇ ବସ୍‌ ମାଲିକ ସଂଘର ରହିଥିବା ଅନ୍ୟ ଦାବି ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ନୂଆ ବସ୍‌ଷ୍ଟାଣ୍ଡସ୍ଥିତ ଅଫିସ ସମ୍ମୁଖରେ ବସ ମାଲିକ ଓ କର୍ମଚାରୀମାନେ ଧାରଣାରେ ବସିଥିଲେ। ସଂଘ ସଭାପତି ଅଶୋକ ବିଶ୍ବାଳ, ସମ୍ପାଦକ ଏମ୍‌. ପେଣ୍ଡରା ରାଓ, ଉପସଭାପତି ରଶ୍ମିକାନ୍ତ ମହାନ୍ତି, କୋଷାଧ୍ୟକ୍ଷ ଶିବରାମ ଶତପଥୀ, ବସ୍‌ ମାଲିକ ଉତ୍ତମ ମଣ୍ଡଳ, ଭବତୋଷ ମଣ୍ଡଳ, ପ୍ରକାଶ ସାହୁ, ନୀଳକଣ୍ଠ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।
Share