Categories: ଜାତୀୟ

ଫେରାଯିବ କୋଭିଡ୍‌ ଟିକା

ନୂଆଦିଲ୍ଲୀ,୨୯।୪ : ବେସରକାରୀ କୋଭିଡ୍‌-୧୯ ଟିକାକରଣ କେନ୍ଦ୍ରକୁ ଅବ୍ୟବହୃତ ଟିକା ଫେରାଇବାକୁ କୁହାଯାଇଛି। ଏଥିନେଇ ସେମାନଙ୍କୁ ଦିଆଯାଇଛି ଶୁକ୍ରବାର ପର୍ଯ୍ୟନ୍ତ ସମୟ। ବଳକା ଟିକାଗୁଡ଼ିକୁ ମେ’ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ୩ୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟାରେ ବ୍ୟବହାର କରାଯାଇ ପାରିବ ନାହିଁ। କେବଳ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଭାକ୍ସିନ କେନ୍ଦ୍ରରେ ସମ୍ଭବତଃ ଏବେ ଟିକାକରଣ ଜାରି ରହିବ।

ଷ୍ଟକରେ ଥିବା ଅବ୍ୟବହୃତ ଟିକାକୁ ଚଳିତ ମାସ ୩୦ ତାରିଖ ସୁଦ୍ଧା କୋଲ୍ଡ ଚେନ ପଏଣ୍ଟକୁ ଫେରାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣଙ୍କ ହସ୍ତାକ୍ଷର ରହିଛି। ଫଳରେ ବେସରକାରୀ କେନ୍ଦ୍ରକୁ ନୂଆ ଟିକା ଯୋଗାଇ ଦିଆ ନ ଯିବା ପର୍ଯ୍ୟନ୍ତ କେହି ଟିକା ନେଇ ପାରିବେ ନାହିଁ।

ସରକାରଙ୍କ ନୂଆ ଟିକାକରଣ ନିୟମ ଅନୁଯାୟୀ, ଟିକା ପ୍ରସ୍ତୁତିକାରୀ କମ୍ପାନୀ ପାଖରେ ଥିବା ଟିକାର ଅଧା ରାଜ୍ୟ ସରକାର ଓ ବେସରକାରୀ ହସ୍ପିଟାଲକୁ ସିଧାସଳଖ ବିକ୍ରି କରିପାରିବେ। ବଳକା ୫୦ ପ୍ରତିଶତ ଡୋଜ କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ଯୋଗାଇ ଦେବେ।

Share