ଗଞ୍ଜାମ,୨୧ା୭(ଡି.ଏନ୍.ଏ.): ରାଜ୍ୟ ବେସରକାରୀ ଓ କର୍ମଚାରୀ ସଂଘ ଆହ୍ବାନ କ୍ରମେ ଗୁରୁବାର ଗଞ୍ଜାମ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ପକ୍ଷରୁ ମୁଖ୍ୟ ଫାଟକ ସମ୍ମୁଖରେ ଦୁଇ ଘଣ୍ଟା ଧରି ଅନୁଦାନ ସତ୍ୟାଗ୍ରହ ଚାଲୁ ରହିଥିଲା। ଲୋୟର ପିଏମ୍ଜି ଭୁବନେଶ୍ୱରଠାରେ ସଂଘ ପକ୍ଷରୁ ଅହରାତ୍ର ଧାରଣାକୁ ୫୯ ଦିନ ବିତିଯାଇଥିଲେ ମଧ୍ୟ ସରକାର କୌଣସି ପ୍ରତିଶ୍ରୁତି ଦେଇ ନ ଥିବା ନେଇ ଗଞ୍ଜାମ କଲେଜ ଅଧ୍ୟାପକ କର୍ମଚାରୀ କ୍ଷୋଭ ପ୍ରକାଶ କରିଥିଲେ l ଏହି ଅବସରରେ ଗଞ୍ଜାମ ଜିଲା ସଂଯୋଜକ ଅଧ୍ୟାପକ ଗିରିଶ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ସଭାପତି ବିଶ୍ୱରଞ୍ଜନ ଦାସ ଯୋଗ ଦେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ।
୨୦୦୮ରୁ ପରିଚାଳନା କମିଟି ପକ୍ଷରୁ ନିଯୁକ୍ତି ପାଇଥିବା ସମସ୍ତ ମହାବିଦ୍ୟାଳୟ ଅଧ୍ୟାପକ କର୍ମଚାରୀଙ୍କୁ ଅନୁଦାନ ଦେବା ଲାଗି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ଉଦ୍ଦେଶ୍ୟରେ ଏହି ସତ୍ୟାଗ୍ରହ ଚାଲୁରହିଥିବା ରାଜ୍ୟ ସଂଘ ସଭାପତି କହିଛନ୍ତି l ରାଜ୍ୟ ସରକାର ଯଦି ଦାବି ନ ଶୁଣନ୍ତି ତେବେ ସମସ୍ତ ମହାବିଦ୍ୟାଳୟରେ ଏହି ସତ୍ୟାଗ୍ରହ ଆନ୍ଦୋଳନ ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ଆନ୍ଦୋଳନରେ ଗଞ୍ଜାମ କଲେଜର ଅଧ୍ୟାପକ ଗିରିଶ ଚନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ଅଜୟ କୁମାର ବାରିକ୍, ସୁଶାନ୍ତ କୁମାର ଆଚାରୀ, ରଘୁନାଥ ରେଡ୍ଡୀ। ଆଦିତ୍ୟ ମହାପାତ୍ର, ପ୍ରବୀର ପାଢ଼ୀ, ସ୍ବାଗତିକା ପ୍ରଧାନ, ନମିତା ସାହୁ, ଚକ୍ରପାଣି ରେଡ୍ଡୀ, ମହେଶ୍ୱର, ରମେଶ ବେହେରା, ଶିବରାମ ବେହେରା, ଅଜିତ ନାୟକ, ମଧୁସୂଦନ ମହାପାତ୍ର, କୃଷ୍ଣ ନାୟକ ପ୍ରମୁଖ ସାମିଲ ଥିଲେ।