ବେସରକାରୀ ଅଧ୍ୟାପକ – ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର,୨୮।୬(ଅଭିଜିତ ଦାସ): ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ମଙ୍ଗଳବାର ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଆନ୍ଦୋଳନ ବେଳେ ଅଧ୍ୟାପିକା ଅଧ୍ୟାପକ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଛି। ଧସ୍ତାଧସ୍ତିରେ ଉଭୟ ପକ୍ଷରୁ କେତେଜଣ ଅଧ୍ୟାପିକା ଅଧ୍ୟାପକ ଓ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ ବ୍ୟାରିକେଡ୍‌ ଭାଙ୍ଗି ବିଧାନସଭା ଆଡ଼କୁ ଆନ୍ଦୋଳନରତ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀମାନେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଘଟିଥିଲା।
ସୂଚନା ଅନୁଯାୟୀ, ୨୦୦୮ରୁ ୨୦୧୩ ମସିହା ମଧ୍ୟରେ ପ୍ରତିଷ୍ଠା ହୋଇଥିବା ଅଣଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡିକୁ ଅନୁଦାନ ପ୍ରଦାନ ନିମନ୍ତେ ନୂତନ ଗ୍ରାଣ୍ଟ-ଇନ୍‌-ଏଡ୍‌ (ଏଓଇ) ନୀତିକୁ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତି କରିଥିଲା। ଏଥିସହ ୨୦୦୮ ଜୁନ୍‌ ୧ରୁ ୨୦୧୩ ନଭେମ୍ବର ୩୦ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ମହାବିଦ୍ୟାଳୟ ଏବଂ ଏଥିରେ କାର୍ଯ୍ୟରତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ତାଲିକା ମଗାଯାଇଥିଲା। ତେବେ ଏହାକୁ ବିରୋଧ କରିଛି ଅଧ୍ୟାପକ ସଂଘ। ୨୦୦୮ ରୁ ୨୦୧୮ ମସିହା ମଧ୍ୟରେ ପ୍ରତିଷ୍ଠା ହୋଇଥିବା ସମସ୍ତ ମହାବିଦ୍ୟାଳୟ ଏବଂ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ତାଲିକା ନେଇ ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦେବା ସହ ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଲାଗି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସଂଘ ଦାବି କରିଛି। ଏହି ଦାବି ନେଇ ସଂଘ ପକ୍ଷରୁ ମଙ୍ଗଳବାର ଲୋୟର ପିଏମ୍‌ଜିରେ ଆନ୍ଦୋଳନ ଚାଲିଥିଲା। ତେବେ ପୋଲିସ ପକ୍ଷରୁ ଜାରି ହୋଇଥିବା ୧୪୪ ଧାରାକୁ କେତେଜଣ ଆନ୍ଦୋଳନକାରୀ ଅମାନ୍ୟ କରି ବିଧାନସଭା ଆଡ଼କୁ ମାଡ଼ିଆସିଥିଲେ। ଏପରିକି ବ୍ୟାରିକେଡ୍‌ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ୪ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ଅଧ୍ୟାପିକା ଅଧ୍ୟାପକ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୂର୍ବରୁ ସଂଘ ଅନେକ ଥର ସରକାରଙ୍କ ନିକଟରେ ଦାବି ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିପାରିନାହିଁ। ବିଭିନ୍ନ କାର୍ଯ୍ୟରେ ସରକାର ଅଧ୍ୟାପକମାନଙ୍କୁ ନିୟୋଜିତ କରୁଥିଲେ ମଧ୍ୟ ପ୍ରାପ୍ୟ ମିଳିପାରୁନାହିଁ। ତେଣୁ ଯଦି ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

 

୯ ଅଧ୍ୟାପକ ଗିରଫ (ସତ୍ୟଜିତ୍‌ ରାଉତ)
ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ମଙ୍ଗଳବାର ପୋଲିସ ଓ ବେସରକାରୀ ଅଧ୍ୟାପକ ସଂଘ ମଧ୍ୟରେ ଧସ୍ତାଧସ୍ତିବେଳେ ଉଭୟ ପକ୍ଷରୁ ଅନେକ ଆହତ ହୋଇଛନ୍ତି। ତେବେ ୧୪୪ ଧାରା ଉଲ୍ଲଂଘନ ସହ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ସଂଘ ବିରୋଧରେ କମିଶନରେଟ୍‌ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆନ୍ଦୋଳନକାରୀ ୯ଜଣ ଅଧ୍ୟାପକଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ୱରଞ୍ଜନ ଦାସ, ସୁଶାନ୍ତ କୁମାର ପରିଡ଼ା, କୃତିବାସ ପ୍ରଧାନ, ରାଜକିଶୋର ପାତ୍ର, ତାପସ କୁମାର ପାତ୍ର, ପ୍ରିୟବ୍ରତ ମହାପାତ୍ର, କରୁଣାକର ନାୟକ, ଅରୁଣ କୁମାର ରାମ ଓ ପ୍ରଦୀପ କୁମାର ମାଝୀ। ଏ ନେଇ ପୋଲିସ ଏକ ମାମଲା (ନଂ. ୪୦୩/୨୦୨୩) ରୁଜୁ ତଦନ୍ତ ଜାରି ରଖିଛି। ଏହି ଘଟଣାରେ ୪ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ଆହତ ହୋଇଥିବା ଥାନାଧିକାରୀ ପଦ୍ମନାଭ ପ୍ରଧାନ ସୂଚନା ଦେଇଛନ୍ତି।

 

 

Share