ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଉକ୍ତ ଘରୋଇ ମେଡିସିନ ଷ୍ଟୋର୍‌ଗୁଡିକର ଲିଜ୍‌ ଅବଧି ଆଉ ନ ବଢ଼ାଇବା ପାଇଁ ବିଭାଗ ନିର୍ଦ୍ଦେଶ ଦେବା ସହ ନୂଆ ଷ୍ଟୋର ଯେପରି ନ ଖୋଲିବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏ ସଂକ୍ରାନ୍ତରେ ସମସ୍ତ ସିଡିଏମ୍‌ଓଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ସବୁ ସରକାରୀ ଡାକ୍ତରଖାନାରେ ଔଷଧ ବିତରଣ କେନ୍ଦ୍ର (ଡିଡିସି) ଜରିଆରେ ୨୪ ଘଣ୍ଟିଆ ଔଷଧ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ମାତ୍ର ସରକାରୀ ହସ୍ପିଟାଲ ପରିସରରେ କେତେଜଣ ବ୍ୟବସାୟୀ ଔଷଧ ଦୋକାନ ଖୋଲି ବିକ୍ରୟ କରୁଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରୁ ରହିତାଦେଶ ଆଣି ବ୍ୟବସାୟ କରୁଛନ୍ତି। ଅପରପକ୍ଷେ ଅନେକ ଦୋକାନୀଙ୍କ ପାଖରେ ହାଇକୋର୍ଟଙ୍କ ରହିତାଦେଶ ନ ଥିଲେ ବି ସେମାନେ ବ୍ୟବସାୟ ଜାରି ରଖିଛନ୍ତି। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। ଆସନ୍ତା ୧୫ଦିନ ମଧ୍ୟରେ ସରକାରୀ ମେଡିକାଲ କଲେଜ ସହ ସରକାରୀ ଡାକ୍ତରଖାନା ପରିସରରେ ଥିବା ସମସ୍ତ ଔଷଧ ଷ୍ଟୋର୍‌ଗୁଡିକୁ ଉଚ୍ଛେଦ କରିବା, ବେଆଇନ ଭାବେ ଔଷଧ ବିକ୍ରି କରୁଥିବା ଦୋକାନୀଙ୍କ ଚୁକ୍ତିକୁ ତୁରନ୍ତ ବାତିଲ କରିବାକୁ କୁହାଯାଇଛି।

Share