ସରକାରୀ ଘରେ ବେସରକାରୀ କାର୍ଯ୍ୟାଳୟ

କୋରୁକୋଣ୍ଡା,୧୫ା୭(ଅବିନାଶ ବେହେରା): ଗ୍ରାମବାସୀଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ଗୋଷ୍ଠୀ ସାଧନ କେନ୍ଦ୍ର ଯୋଗାଇ ଦେଉଥିବା ବେଳେ,ଉକ୍ତ ଗୋଷ୍ଠୀ କେନ୍ଦ୍ରରେ ବେସରକାରୀ କାର୍ଯ୍ୟାଳୟ ଖୋଲାହୋଇଥିବା ଦେଖିବାକୁ ମିଳୁଛି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ସଦରରେ।

ସୂଚନା ଥାଉକି, କିଛି ବର୍ଷ ପୂର୍ବେ କୋରୁକୋଣ୍ଡା ବ୍ଲକ ସୋମନାଥପୁର  ପଞ୍ଚାୟତ ସଦରଠାରେ ସରକାରଙ୍କ ତରଫରୁ ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ୨ ଲକ୍ଷ ଟଙ୍କା ବ୍ୟୟରେ ସୋମନାଥପୁର ଗ୍ରାମର ଗୋଷ୍ଠୀ କେନ୍ଦ୍ର ଗୃହ ନିର୍ମାଣ କରାଯାଇଥିଲା। ଗୋଷ୍ଠୀ କେନ୍ଦ୍ରର ମୂଳ ଲକ୍ଷ ଗ୍ରାମବାସୀ ଯେକୌଣସି ବୈଠକ କିମ୍ବା ଗ୍ରାମବାସୀଙ୍କ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିବାରେ ଉକ୍ତ ଗୃହ କାମରେ ଆସିବ। କିନ୍ତୁ ବିଡ଼ମ୍ବନାର ବିଷୟି ସୋମନାଥପୁର ଗ୍ରାମର ଗୋଷ୍ଠୀ କେନ୍ଦ୍ର ଗୃହଟି ବେସରକାରୀ ସଂସ୍ଥା ହାତରେ। ବର୍ତ୍ତମାନ ଗ୍ରାମର ଗୋଷ୍ଠୀ କେନ୍ଦ୍ର ଗୃହଟିରେ ବେସରକାରୀ ସଂସ୍ଥା ଟିପିଏସଓଡିଏଲ(TPSODL) ନାମକ ବେସରକାରୀ ସଂସ୍ଥାର ସମ୍ପର୍କ କେନ୍ଦ୍ର ଭାବରେ ବ୍ୟବହାର ହେଉଛି। ଉକ୍ତ ବେସରକାରୀ ସଂସ୍ଥାର ସମ୍ପର୍କ କେନ୍ଦ୍ରଗୁଡ଼ିକ ବେସରକାରୀ ଘରଗୁଡ଼ିକରେ ଭଡ଼ାରେ ଚାଲୁଥିବା ବେଳେ ସୋମନାଥପୁର ପଞ୍ଚାଯତ ସଦରଠାରେ ଥିବା ସରକାରୀ ଗୋଷ୍ଠୀ କେନ୍ଦ୍ର କେଉ ଆଧାରରେ ଉକ୍ତ ବେସରକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏନେଇ ଦାୟିତ୍ୱରେ ଥିବା ପଞ୍ଚାୟତ ଅଧିକାରିଣୀ ଜୟଶ୍ରୀ ଜେନାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା। ବାଲିମେଳା ବିଦ୍ୟୁତ ବିଭାଗ ଏସ୍‌. ଦେବାଶିଷ ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ ଘଟଣା ବିଷୟରେ ସେ ଅବଗତ ନୁହନ୍ତି। ଏଣୁ ତଦନ୍ତ କରିବା ପରେ ଘଟଣା ବିଷୟରେ ପ୍ରତିକ୍ରିୟା ଦେବେ।

Share