୧୫% ଛାଡ଼ ପାଇଁ ଘରୋଇ ବିଦ୍ୟାଳୟ ସଂଘର ପ୍ରସ୍ତାବ

କଟକ ଅଫିସ,୨।୭: ଲକ୍‌ଡାଉନ୍‌ ଯୋଗୁ ଘରୋଇ ସ୍କୁଲଗୁଡ଼ିକ ଫି’ ଛାଡ଼ ପାଇଁ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ବୁଧବାର ଘରୋଇ ବିଦ୍ୟାଳୟ ସଂଘ ପକ୍ଷ ରଖିଛି। ୧୫ ପ୍ରତିଶତ ସ୍କୁଲ ଫି’ ଛାଡ଼ ପାଇଁ ସଂଘ ତରଫରୁ ହାଇକୋର୍ଟରେ ପ୍ରସ୍ତାବ ଦାଖଲ କରାଯାଇଛି। କିନ୍ତୁ ଏହି ପ୍ରସ୍ତାବକୁ ଆବେଦନକାରୀ ଅଭିଭାବକ ସଂଘ ମାନିବାକୁ ରାଜି ହୋଇନାହିଁ। ସ୍କୁଲ ଫି’ ଆହୁରି ଅଧିକ ଛାଡ଼ କରିବାକୁ ଅଭିଭାବକ ସଂଘ ଦାବି ରଖିଛି। ଏହି ସଂଘର ଯୁକ୍ତି ହେଲା, ଚଳିତବର୍ଷ ଲକ୍‌ଡାଉନ୍‌ ଯୋଗୁ ସ୍କୁଲଗୁଡ଼ିକ ବନ୍ଦ ରହିଛି। ବିଦ୍ୟୁତ୍‌ ବ୍ୟବହାର ହୋଇ ନ ଥିବା ଯୋଗୁ ଖର୍ଚ୍ଚ କମିଛି। ପାଠପଢ଼ା ବନ୍ଦ ରହିଥିବାରୁ ଗମନାଗମନଜନିତ ଖର୍ଚ୍ଚ ନାହିଁ। ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ପ୍ରାୟତଃ ନାହିଁ କହିଲେ ଚଳେ। ତେଣୁ ସ୍କୁଲ ଫି’କୁ ଅଧିକ ପରିମାଣରେ ଛାଡ଼ କରିବାକୁ ଅଭିଭାବକ ସଂଘ ଏବଂ ପ୍ରହଲ୍ଲାଦ ରାଉତଙ୍କ ପକ୍ଷରୁ ଅଦାଲତରେ ଯୁକ୍ତି ରଖାଯାଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଏବଂ ବିଚାରପତି କୁମାରୀ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଭୟ ପକ୍ଷର ଯୁକ୍ତି ଶୁଣିଛନ୍ତି। ଆସନ୍ତା ୬ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।

Share