ବେଆଇନ ଭାବେ ସରକାରୀ ଅଫିସରେ ଲାଗୁଛି ପ୍ରାଇଭେଟ ଗାଡ଼ି

ରାୟଗଡ଼ା,୨୭।୬(ଆଶିଷ ରଞ୍ଜନ ପଣ୍ଡା): ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବ୍ୟକ୍ତିଗତ ବ୍ୟବହୃତ ପାଇଁ ପଞ୍ଜୀକୃତ ଗାଡ଼ିଗୁଡ଼ିକ ମାସିକ ଭଡ଼ା ସୂତ୍ରରେ ଲଗାଯାଇ ପରିବହନ ନିୟମର ଖୋଲା ଉଲଂଘନ ଚାଲିଥିବା ଅଭିଯୋଗ ହୋଇଛି। କମର୍ସିଆଲ ଓ ଟ୍ୟାକ୍ସି ପରିମିଟ ଥିବା ଗାଡ଼ି ହିଁ ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହୋଇପାରିବ ବୋଲି ପରିବହନ ବିଭାଗର ନିୟମ ଥିବାବେଳେ ରାୟଗଡ଼ା ଜିଲାରେ ଏହି ନିୟମକୁ ଖୋଲାଖୋଲି ଉଲଂଘନ କରାଯାଉଥିବା ଦେଖିବାକୁ ମିଳିଛି । ଫଳରେ ଓଡ଼ିଶା ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବହାନି ହେଉଥିବା ଚର୍ଚ୍ଚା ହେଉଛି ।
ରାୟଗଡ଼ା ଜିଲା ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲା ସମାଜ ମଙ୍ଗଳ ଅଧିକାରୀ, ମୃତ୍ତିକା ସଂରକ୍ଷଣ, ପୂର୍ତ୍ତ, ଜଳ ସମ୍ପଦ, ପୌର ପରିଷଦ ଆଦି ବିଭାଗରେ ବ୍ୟକ୍ତିଗତ ବ୍ୟବହୃତ ପଞ୍ଜୀକୃତ ଗାଡ଼ି ଲାଗିଥିବା ଦେଖିବାକୁ ମିଳିଛି । ଲୋକେ ବିଭିନ୍ନ ଟ୍ରାଭେଲ ଏଜେନ୍ସି ଜରିଆର ଗାଡ଼ି ଭଡ଼ାରେ ଆଣି ସରକାରୀ ଅଫିସରେ ଲଗାଉଛନ୍ତି। ଆଇନକୁ ସ୍ବଚ୍ଛ ରଖିବା ପାଇଁ ଡିଣ୍ଡିମ ପିଟୁଥିବା ସରକାରୀ ଅଧିକାରୀମାନେ ହିଁ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଥିବା ଅଭିଯୋଗ ଆସିଛି। ଏପରିକି କିଛି ଅଧକାରୀଙ୍କ ସମ୍ପର୍କୀୟ ମଧ୍ୟ ଗାଡ଼ିଗୁଡ଼ିକ ସରକାରୀ କାର୍ଯ୍ୟାଳୟରେ ଲଗାଇ ମୋଟା ଅଙ୍କର ଲାଭ ପାଉଥିବାବେଳେ ଗାଡ଼ିର ଡିଜେଲ ବିଲ୍‌ ଅଧିକା କରି ମଧ୍ୟ ମୁନାଫା ପାଉଛନ୍ତି। ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କାରଖାନାଗୁଡ଼ିକରେ ମଧ୍ୟ ବ୍ୟକ୍ତିଗତ ପଞ୍ଜୀକୃତ ଗାଡ଼ି ବ୍ୟବହୃତ ହେଉଛି । ଗେଲ୍‌ ଇଣ୍ଡିଆ ତରଫରୁ କଳାହାଣ୍ଡି ଓ ରାୟଗଡ଼ା ଜିଲାରେ ଚାଲିଥିବା ଗ୍ୟାସ୍‌ ପାଇପଲାଇନ ସର୍ଭେ କାମରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ମଧ୍ୟ ବ୍ୟକ୍ତିଗତ ପଞ୍ଜୀକୃତ ଗାଡ଼ି ବ୍ୟବହାର କରୁଛନ୍ତି । ତେବେ ବ୍ୟକ୍ତିଗତ ଗାଡ଼ିରେ ଟିକସ କମ ରହୁଥିବାରୁ ଗାଡ଼ି ମାଲିକମାନେ କମର୍ସିଆଲ ଟିକସ ଫାଙ୍କିବା ପାଇଁ ବ୍ୟକ୍ତିଗତ ପଞ୍ଜୀକୃତ କରାଉଛନ୍ତି । ତେଣୁ ଜିଲା ପ୍ରଶାସନ ଓ ପରିବହନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବେଆଇନ କାର୍ଯ୍ୟ କରୁଥିବା ଅଧିକାରୀ ଓ ଗାଡ଼ି ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି । ଏ ସମ୍ପର୍କରେ ରାୟଗଡ଼ା ଆଞ୍ଚଳିକ ପରିବହନ ଅଧିକାରୀ ଶିବ ଶଙ୍କର ଚୌଧୁରୀଙ୍କୁ ପଚାରିବାରୁ ଭଡ଼ା ସୂତ୍ର ଅଥବା ଲିଜ୍‌ ସୂତ୍ରରେ କେବଳ କମର୍ସିଆଲ ପଞ୍ଜୀକୃତ ଓ ଟ୍ୟାକ୍ସି ପରମିଟ୍‌ ଗାଡ଼ି ବ୍ୟବହାର ହୋଇପାରିବ ବୋଲି କହିଛନ୍ତି।

Share