ସରଗପୁରରୁ ଆସିଚି ପ୍ରିୟା

ଇନ୍ଦ୍ରଲୋକର ଭୁଲ ପାଇଁ ପୃଥିବୀକୁ ଦଣ୍ଡ ଭୋଗିବାକୁ ଆସିଛି ଅପସରା ମେନକା। ପ୍ରଥମରୁ ଆସିବାକୁ ଡରୁଥିବା ମେନକା କିନ୍ତୁ ପରେ ପୃଥିବୀ ଛାଡିବାକୁ ନାରାଜ। ପାତାଳ ଲୋକର ଜଣେ ଯୁବକ ପ୍ରେମରେ ସେ ପଡିଯାଇଛି। ଆଉ ସେପଟେ ଥରହର ଦେବତାଗଣ। ଏମିତି କିଛି ନିଆରା କାହାଣୀକୁ ନେଇ ଜୀ ସାର୍ଥକ ବ୍ୟାନରରେ ପ୍ରସ୍ତୁତ ହୋଇଛି ଓଡ଼ିଆ ସିନେମା ‘ସରଗପୁରରୁ ଆସିଚି ପ୍ରିୟା’। ଓଲିଉଡ୍‌ର ଗିମିକ ମାଷ୍ଟର ତଥା ପ୍ରତିଟି କାହାଣୀରେ ପରୀକ୍ଷା ନିରୀକ୍ଷା କରି ଦର୍ଶକଙ୍କୁ ଭିନ୍ନ ଧରଣର ମନୋରଞ୍ଜନ ଦେଇ ଆସିଥିବା ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଉକ୍ତ ଫିଲ୍ମରେ ଇନ୍ଦ୍ରଲୋକ ସହ ପୃଥିବୀଲୋକକୁ ଯୋଡି କାହାଣୀକୁ ବେଶ୍‌ ରୋଚକ କରାଯାଇଛି। ଏଭଳି ଏକ ଭିନ୍ନ ଧରଣର ଫିଲ୍ମ ଅନ୍ୟତମ ଲୋକପ୍ରିୟ ଚ୍ୟାନେଲ ଜୀ ସାର୍ଥକରେ ଚଳିତ ମାସ ୨୬ ତାରିଖ ଅର୍ଥାତ ଆସନ୍ତା ରବିବାର ସନ୍ଧ୍ୟା ୬.୩୦ରେ ପ୍ରସାରିତ ହେବାକୁ ଯାଉଛି। ଏହି ଫିଲ୍ମରେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ନିଲାକ୍ଷୀ ପାତ୍ର ମେନକା ଚରିତ୍ରରେ ଅଭିନୟ କରୁଥିବାବେଳେ କାହାଣୀର ନାୟକ ଭୂମିକାରେ ଦେଖିବାକୁ ମିଳିବେ ଅଭିଜିତ ଦାସ। କବିର ଦାସଙ୍କ ପ୍ରଯୋଜିତ ଏହି ଫିଲ୍ମର କାହାଣୀ ମଧ୍ୟ ରଚନା କରିଛନ୍ତି ନିର୍ଦ୍ଦେଶକ ସଞ୍ଜୟ। ଡା. ର୍ନିମଳ ନାୟକ ଏବଂ ନିହାର ପ୍ରିୟାଶିଷଙ୍କ ରଚିତ ଗୀତଗୁଡିକୁ ସଙ୍ଗୀତରେ ସଜାଇଛନ୍ତି ସଙ୍ଗୀତ ନିର୍ଦେଶକ ବୈଦନାଥ ଦାଶ। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ନେହା ନିହାରିକା, ସତ୍ୟଜିତ, ଅନ୍ତରା ଚକ୍ରବର୍ତ୍ତୀ, ଓ ସୁଭାଶିଷ ସାହୁ। ”କାହାଣୀଟି ଯେତିକି ଉତ୍ସାହରେ ଭରି ରହିଛି ସେତିକି ଉତ୍କଣ୍ଠାପୂର୍ଣ୍ଣ ମଧ୍ୟ ରହିଛି । ତେବେ ଦର୍ଶକଙ୍କୁ ଏହି କାହାଣୀ ନିଶ୍ଚୟ ମନକୁ ଛୁଇଁବ ବୋଲି ଆଶା ପ୍ରକାଶ କରିଛନ୍ତି ଜୀ-ସାର୍ଥକ ଚ୍ୟାନେଲର ବିଜିନେସ୍‌ ହେଡ୍‌ ପ୍ରତୀକ ସିଲ୍‌।“

Share