Categories: ଜାତୀୟ

ପ୍ରିୟଙ୍କା ଗିରଫ, ଗେଷ୍ଟ ହାଉସ୍‌ ପାଲିଟିଛି ଅସ୍ଥାୟୀ ଜେଲ୍‌…

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ହିଂସା ଘଟଣାରେ କଂଗ୍ରେସ ରାଷ୍ଟ୍ରୀୟ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସୋମବାର ଭୋର୍‌ ୫ଟାରେ ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇଥିଲା। ତେବେ ତାଙ୍କୁ ଗିରଫ କରି ଲକ୍ଷ୍ମୀପୁର ନିକଟବର୍ତ୍ତୀ ହରଗାଓ୍ବଁଠାରେ ସୀତାପୁର ପିଏସ୍‌ର ୨୨ ବାଟାଲିୟନ୍‌ ଗେଷ୍ଟ ହାଉସରେ ରଖାଯାଇଥିବା କୁହାଯାଉଛି। ଗେଷ୍ଟ ହାଉସ୍‌ ଅସ୍ଥାୟୀ ଜେଲ୍‌ ପାଲଟିଛି।

ପ୍ରିୟଙ୍କା ସହିତ ଅନ୍ୟ ୧୦ ଜଣଙ୍କ ବିରୋଧରେ ଶାନ୍ତି ଭଙ୍ଗ କରୁଥିବା ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରେ ଦିପେନ୍ଦର ହୁଡ୍ଡା, ଅଜୟ କୁମାର ଲଲ୍ଲୁ ଆଦି କଂଗ୍ରେସ ନେତାଙ୍କ ନାମ ରହିଛି। ପ୍ରିୟଙ୍କାଙ୍କ ବିରୋଧରେ ଆଇପିସି ଧାରା ୧୫୧, ୧୦୭ ଏବଂ ୧୧୬ ଅର୍ନ୍ତଗତ ମାମଲା ରୁଜୁ ହୋଇଥିବା କୁହାଯାଉଛି।

ହରଗାଓ୍ବଁ ଏସ୍‌ଏଚ୍‌ଓ ମାମଲାର ଚାଲାଣ ରିପୋର୍ଟ ମାଜିଷ୍ଟ୍ରେଟ୍‌ଙ୍କୁ ପଠାଇ ଦେଇଛନ୍ତି। ଏସ୍‌ଡିଏମ୍‌ ଗେଷ୍ଟ ହାଉସ୍‌କୁ ଆସି ଏହି ମାମଲାର ଶୁଣାଣି କରିବେ।

ସୂଚନାଯୋଗ୍ୟ, ପ୍ରିୟଙ୍କା ରବିବାର ବିଳମ୍ବିତ ରାତିରେ ଲକ୍ଷ୍ନୌରେ ପହଞ୍ଚିଥିଲେ। ତାଙ୍କ ଘର ଚାରିପଟେ ୩୦୦ରୁ ଅଧିକ ପୋଲିସ ଏବଂ ୧୫୦ ମହିଳା କନଷ୍ଟେବଳଙ୍କୁ ମୁତୟନ କରାଯାଇଥିଲା। ପ୍ରିୟଙ୍କା ରାତ୍ର ୧୨ ଟା ପରେ ଲକ୍ଷ୍ମୀପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଦୀର୍ଘ ୫ ଘଣ୍ଟା ଯାତ୍ରା କରିବା ପରେ ଲକ୍ଷ୍ମୀପୁର ନିକଟବର୍ତ୍ତୀ ହରଗାଓ୍ବଁଠାରେ ପୋଲିସ ତାଙ୍କୁ ନିଜ ହେପାଜତରେ ନେଇ ଗେଷ୍ଟ ହାଉସରେ ଅଟକ ରଖିଥିଲା।

Share