
ନୂଆଦିଲ୍ଲୀ,୨୪ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେସ ଓ୍ବାକର ପ୍ରିୟଙ୍କା ଗୋସ୍ବାମୀ ମହିଳା ୩୫ କିମି ଇଭେଣ୍ଟରେ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ସ୍ଲୋଭାକିଆର ଡୁଡିନ୍ସଠାରେ ଚାଲିଥିବା ଡୁଡିନସ୍କା ୫୦ ପ୍ରତିଯୋଗିତାରେ ସେ ଦୌଡ଼କୁ ୨:୫୬:୩୪ ସେକେଣ୍ଡରେ ଶେଷ କରିଥିଲେ। ସେ ୧୧ତମ ସ୍ଥାନରେ ରହି ଦୌଡ଼ ଶେଷ କରିବା ସହ ଜାତୀୟ ରେକର୍ଡ ଭଙ୍ଗ କରିଥିଲେ। ଏଥିପୂର୍ବରୁ ଜାତୀୟ ରେକର୍ଡ ମଞ୍ଜୁ ରାନୀଙ୍କ ନାମରେ ଥିଲା। ସେ ୨୦୨୩ ନ୍ୟାଶନାଲ ଓପନ ରେସ ଓ୍ବାକିଂ ଚାମ୍ପିୟନଶିପ୍ସରେ ୨:୫୭:୫୪ ସେକେଣ୍ଡ ଟାଇମିଂ ହାସଲ କରିଥିଲେ।
ପାଉଲା ମିଲେନା ୨:୪୪:୨୬ ସେକେଣ୍ଡ ଟାଇମିଂ ସହ ମହିଳା ୩୫ କିମି ରେସ ଓ୍ବାକ ଇଭେଣ୍ଟରେ ଚାମ୍ପିୟନ ହୋଇଥିଲେ। ପେରୁର କିମ୍ବରଲି ଗାର୍ସିଆ (୨:୪୫:୫୯ ସେ.) ଓ ପୋଲାଣ୍ଡର କାଟାରଜିନା ଜଜିବ୍ଲୋ (୨:୪୬:୫୯ ସେ.) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ୟପକ୍ଷରେ ଜାତୀୟ ରେକର୍ଡ ଅଧିକାରୀ ଅକ୍ଷଦୀପ ସିଂ ପୁରୁଷ ୨୦ କିମି ରେସ ଓ୍ବାକରେ ୧:୨୪:୧୪ ସେ. ଟାଇମିଂ ସହିତ ଷଷ୍ଠ ସ୍ଥାନରେ ରହିଥିଲେ।