ନିକ୍‌ଙ୍କ ବିଷୟରେ ଏମିତି କହିଲେ ପ୍ରିୟଙ୍କା ଚୋପ୍ରା, ଜାଣିଲେ…

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ବେଶ୍‌ ନାଁ କମାଇ ସାରିଲେଣି। ପ୍ରଶଂସକମାନେ ମଧ୍ୟ ପ୍ରିୟଙ୍କାଙ୍କ ଫିଲ୍ମ, ପାରିବାରିକ ଜୀବନ ବିଷୟରେ ଜାଣିବା ପାଇଁ ଉତ୍ସୁକ ଥାନ୍ତି। ପ୍ରିୟଙ୍କା ତାଙ୍କର ପ୍ରତିଟି କଥା ପ୍ରଶଂସକମାନଙ୍କ ସହ ଶେୟାର କରିଥାନ୍ତି। ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ପରିବାର ବିଷୟରେ ସେ ପ୍ରଶଂସକଙ୍କୁ ଅନେକ ଥର କହିସାରିଛନ୍ତି। ମାତ୍ର ଏବେ ଏମିତି ଏକ କଥା କହିଛନ୍ତି, ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ପ୍ରିୟଙ୍କା ନିକ୍‌ଙ୍କଠାରେ ତାଙ୍କ ପିତା ଅଶୋକ ଚୋପ୍ରାଙ୍କ ଛବି ଦେଖନ୍ତି ବୋଲି କହିଛନ୍ତି। ଅର୍ଥାତ୍‌ ପିତାଙ୍କ ପରି ନିକ୍‌ଙ୍କଠାରେ ଅନେକ ସମାନତା ରହିଛି। ପ୍ରିୟଙ୍କା ତାଙ୍କ ପିତାଙ୍କୁ ବହୁତ ଭଲ ପାଆନ୍ତି। ମାତ୍ର କ୍ୟାନସର ଯୋଗୁ ୨୦୧୩ ଜୁନ୍‌ରେ ତାଙ୍କ ପିତାଙ୍କ ନିଧନ ହୋଇଥିଲା। ସେହିଦିନଠାରୁ ସେ ତାଙ୍କ ପିତାଙ୍କୁ ବହୁତ ମିସ୍‌ କରିଆସୁଛନ୍ତି। ତେବେ ସ୍ବାମୀ ନିକ୍‌ଙ୍କ ହାତ ଧରିବା ପରେ ପିତାଙ୍କ ଉପସ୍ଥିତି ଅନୁଭବ କରୁଛନ୍ତି। ପ୍ରିୟଙ୍କା କୁହନ୍ତି ନିକ୍‌ ଠିକ୍‌ ତାଙ୍କ ପିତାଙ୍କ ପରି। ନିକ୍‌ ବହୁତ ବୁଝିବାଶକ୍ତିର ଲୋକ। ସକାଳୁ ଉଠିଲେ ସେ ନିଜ ବିଷୟରେ ଭାବନ୍ତି ଆଉ ମୋ’ ବିଷୟରେ ଭାବନ୍ତି। ଯାହା ମୋ ପିତା କରୁଥିଲେ।

ନିକ୍‌ ମଧ୍ୟ ପ୍ରିୟଙ୍କାଙ୍କୁ ବହୁତ ପ୍ରଶଂସା କରନ୍ତି। ଭଲ ପାଆନ୍ତି। ସେ କୁହନ୍ତି, ପ୍ରିୟଙ୍କା ତାଙ୍କୁ ସବୁ ଜିନିଷ ହାଲୁକା ନେବା ପାଇଁ ଶିଖାଇଛନ୍ତି। ସେ ଫିଲ୍ମ ହେଉ କି ନିଜ ବିଷୟରେ ହେଉ। ସବୁ କଥାରେ ସେ ମୋତେ ବହୁତ ଧୈର୍ଯ୍ୟ ଦେଇଛନ୍ତି।

ଏ ତ ଗଲା ପ୍ରିୟଙ୍କାଙ୍କ ବ୍ୟକ୍ତିଗତ ଜୀବନ କଥା। ଯଦି ତାଙ୍କ ଓ୍ବାର୍କଫ୍ରଣ୍ଟ୍‌ ବିଷୟରେ କହିବା ତେବେ ବର୍ତ୍ତମାନ ପ୍ରିୟଙ୍କା ଲଣ୍ଡନରେ ଫିଲ୍ମ ‘ଟେକ୍‌ଷ୍ଟ ଫର୍‌ ୟୁ’ର ଶୁଟିଂ କରୁଛନ୍ତି। ଏହା ସରିବା ପରେ ସେଠାରେ ସେ ହଲିଉଡ୍‌ ସିରିଜ ‘ସିଟାଡେଲ’ର ବି ଶୁଟିଂ କରୁଛନ୍ତି।

Share