ୟୁକ୍ରେନର ରିଫ୍ୟୁଜି ପିଲାଙ୍କ ସହ ସମୟ କାଟିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ ନୁହେଁ ହଲିଉଡରେ ବି ଏବେ ଖୁବ୍ ଆକ୍ଟିଭ । ଅଭିନୟ ମାଧ୍ୟମରେ ସେ ହଲିଉଡରେ ବି ଜଣେ ପରିଚିତ ଚେହେରା ପାଲଟି ଯାଇଛନ୍ତି । ଏବେ ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ ଅଧିକାଂଶ ସମୟ ଆସୁଛନ୍ତି ଚର୍ଚ୍ଚାକୁ । ଏହାରି ଭିତରେ ପିସି ରୁଷିଆ-ୟୁକ୍ରେନ ଯୁଦ୍ଧରେ ପ୍ରଭାବିତ ୟୁକ୍ରେନର ରିଫ୍ୟୁଜି ପିଲାମାନଙ୍କୁ ଭେଟିବାକୁ ପୋଲାଣ୍ଡ ପହଞ୍ଚିଥିଲେ । ଏହି ସମୟରେ ପ୍ରିୟଙ୍କା ଶରଣାର୍ଥୀ ପିଲାମାନଙ୍କ ସହ ବିତାଇଥିବା ମୂଲ୍ୟବାନ ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ପିସି ଏମିତି କିଛି ଫଟୋ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି ।
ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ସବୁଠାରୁ ଅଧିକ ପ୍ରଭାବିତ ହାଇଛନ୍ତି ୟୁକ୍ରେନର ପିଲାମାନେ । କିଏ ମାତାପିତାଙ୍କୁ ହରାଇଛି ତ ପୁଣି କିଏ ସମ୍ପୂର୍ଣ୍ଣ ପରିବାରକୁ ହରାଇ ଏକୁଟିଆ ହୋଇଯାଇଛି । ଏମିତି ପିଲାମାନଙ୍କୁ ସାହାରା ଦେଇଛି ପଡୋଶୀ ଦେଶ ପୋଲାଣ୍ଡ । ଯୁଦ୍ଧରେ ପ୍ରଭାବିତ ହୋଇଥିବା ଏମିତି କେତେ ଜନତା ଓ ପିଲମାନଙ୍କ ପାଇଁ ରିଫ୍ୟୁଜି କ୍ୟାମ୍ପ ଲଗାଇ ସେମାନଙ୍କୁ ସାହାଯ୍ୟ କରିଛି ପୋଲାଣ୍ଡ । ପୋଲାଣ୍ଡରେ ଥିବା ରିଫ୍ୟୁଜି ପିଲାଙ୍କୁ ପିସି ଭେଟିବା ପରେ ସେମାନଙ୍କ ଆନନ୍ଦର ସୀମା ରହିନାହିଁ । ଅଭିନେତ୍ରୀ ସୋସିଆଲ ମିଡିଆରେ ଶେୟାର କରିଥିବା ଫଟୋ ଓ ଭିଡିଓରେ ଏହା ସ୍ପଷ୍ଟ ବାରି ହୋଇ ପଡୁଛି । ପ୍ରିୟଙ୍କାଙ୍କ ଏହି କାମକୁ ଖୁବ୍ ପ୍ରଶଂସା କରାଯାଉଥିବା ବେଳେ ଅଭିନେତ୍ରୀଙ୍କ ସହ ରିଫ୍ୟୁଜି ପିଲାମାନଙ୍କର ମଉଜମସ୍ତି ସମସ୍ତଙ୍କୁ ଖୁସି ପ୍ରଦାନ କରିଛନ୍ତି ।
ତେବେ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ବିରୋଧ କରିବା ପିସିଙ୍କର ଏହା ପ୍ରଥମ ପ୍ରୟାସ ନୁହେଁ । ଏହା ପୂର୍ବରୁ ବି ସେ ଏହି ଯୁଦ୍ଧକୁ ବିରୋଧ କରି ଆସିଛନ୍ତି ।

Share