ପ୍ରଶଂସକଙ୍କ ଅନୁରୋଧ ରଖୁନାହାନ୍ତି ପ୍ରିୟଙ୍କା

ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଆମେରିକୀୟ ଗାୟକ ନିକ୍‌ ଜୋନାସଙ୍କୁ ବିବାହ କରିବାର ୪ ବର୍ଷ ପରେ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଦୁଇ ସେଲିବ୍ରିଟି ଏତେ ବ୍ୟସ୍ତ ଥାଇ ବି ଝିଅ ମାଳତୀକୁ ଟାଇମ୍‌ ଦେଉଛନ୍ତି। ଏବେ ପ୍ରିୟଙ୍କା ଝିଅକୁ କାଖେଇ ବୁଲୁଥିବାର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

ଏମିତିରେ ବି ସୋସିଆଲ ମିଡିଆରେ ଏହି ଗ୍ଲୋବାଲ ଅଭିନେତ୍ରୀ ବହୁତ ଆକ୍ଟିଭ୍‌। ନିକଟରେ ରେଡ୍‌ ସି’ ମହୋତ୍ସବରୁ ତାଙ୍କର ଫଟୋ ଶେୟାର କରିଥିଲେ। ଏବେ ସେ ତାଙ୍କ ଝିଅ ସହ ଏକ ଫଟୋ ବି ଶେୟାର କରିଛନ୍ତି। କିନ୍ତୁ ଝିଅର ସମ୍ପୂର୍ଣ୍ଣ ଚେହେରା ଆଜି ପର୍ଯ୍ୟନ୍ତ ଦେଖାଉନାହାନ୍ତି। ପ୍ରଶଂସକମାନେ ପ୍ରତ୍ୟେକ ଥର ପ୍ରିୟଙ୍କାଙ୍କୁ ଅନୁରୋଧ କରିଥାନ୍ତି କି ଝିଅର ମୁହଁ ଦେଖାଇବାକୁ ମାତ୍ର ସେ ଆଜି ପର୍ଯ୍ୟନ୍ତ ପ୍ରଶଂସକଙ୍କ ଇଚ୍ଛା ପୂରଣ କରିନାହାନ୍ତି।

ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଶେୟାର ହୋଇଥିବା ପ୍ରଥମ ଫଟୋରେ ପ୍ରିୟଙ୍କା ଝିଅକୁ କୋଳରେ ଧରି ବସିଛନ୍ତି। ମାଳତୀ ମଧ୍ୟ ଏକ ପତ୍ରିକାର ପୃଷ୍ଠା ଓଲଟାଉଥିବା ନଜର ଆସିଛନ୍ତି। ଏହା ଦେଖି ପ୍ରିୟଙ୍କା ଏକ ସେଲ୍‌ଫି ନେଇ ନିକ୍‌ଙ୍କୁ ଟ୍ୟାଗ କରି ‘ଓଃ ବୟ’ ଲେଖିଥିଲେ।

ଦ୍ୱିତୀୟ ଫଟୋର ପ୍ରିୟଙ୍କା ଲସ୍‌ଏଞ୍ଜେଲ୍ସର ଏକ ରେଷ୍ଟୁରାଣ୍ଟ ବାହାରେ ଝିଅକୁ କାଖେଇ ଠିଆ ହୋଇଥିବା ନଜର ଆସିଛନ୍ତି। ଏଥିରେ ବି ଝିଅର ମୁହଁ ଦେଖାଇ ନାହାନ୍ତି। ଏହି ଫଟୋ ଶେୟାର କରି ପ୍ରିୟଙ୍କା ‘ଲଞ୍ଚ୍‌ ପାଇଁ ଧନ୍ୟବାଦ’ ବୋଲି ଲେଖିଛନ୍ତି।

୨୦୧୮ ଡିସେମ୍ବର ୧ରେ ନିକ୍‌ ଏବଂ ପ୍ରିୟଙ୍କା ଉଦୟପୁରରେ ରାଜକୀୟ ଶୈଳୀରେ ବିବାହ କରିଥିଲେ। ଏହା ପରେ ଆମେରିକାରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ସେମାନଙ୍କ ବିବାହ ହୋଇଥିଲା। ୪ ବର୍ଷ ପରେ ସରୋଗେସି ମାଧ୍ୟମରେ ମା’ ହୋଇଛନ୍ତି ପ୍ରିୟଙ୍କା।

Share