Categories: ଜାତୀୟ

ଗର୍ଜିଲେ ପ୍ରିୟଙ୍କା

ମୁଜାଫରନଗର,୨୦ ।୨: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଇତିମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କ୍‌ା ଗାନ୍ଧୀ ଭଦ୍ରା ଶନିବାର ମୁଜାଫରନଗର ପହଞ୍ଚିଛନ୍ତି । ସେଠାରେ କୃଷକ ମହାପଞ୍ଚାୟତକୁ ସମ୍ବୋଧିତ କରିବା ସମୟରେ ମୋଦି ସରକାରଙ୍କ ଉପରେ ସେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକଙ୍କର ମୋଦି ଅପମାନ କରୁଛନ୍ତି । ଯେଉଁ କୃଷକ ନିଜ ପୁଅକୁ ଦେଶର ସୁରକ୍ଷା ପାଇଁ ସୀମାକୁ ପଠାଉଛନ୍ତି ମୋଦି ସରକାର ସେମାନଙ୍କର ଅପମାନ କରୁଛନ୍ତି । ସେମାନଙ୍କୁ ଦେଶଦ୍ରୋହୀ ବୋଲି କହୁଛନ୍ତି, ସେମାନଙ୍କୁ ଆତଙ୍କବାଦୀ ବୋଲି କହୁଛନ୍ତି । ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି ମୋଦି ଯେପରି ନିଜର ୨-୩ ଜଣ ବନ୍ଧୁଙ୍କୁ ଦେଶକୁ ବିକ୍ରି କରି ସାରିଲେଣି ଠିକ୍ ସେମିତି କୃଷକଙ୍କ କ୍ଷେତକୁ ବି ବିକ୍ରି କରିବାକୁ ଚାହୁଁଛନ୍ତି । ପୂର୍ବରୁ ଯେପରି ରାଜା-ମହାରାଜାମାନେ ଶାସନ କରୁଥିଲେ ଏବେ ମୋଦି ସେମିତି ହୋଇଗଲେଣି । ୨ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଅହଂକାର ହେଲାଣି । ତେଣୁ ସରକାର କୃଷକଙ୍କ ସମ୍ମାନ କରିବା ଜରୁରୀ । କୃଷି ଆଇନକୁ ନେଇ ସରକାର କୃଷକଙ୍କ ସହ କାହିଁକି କଥା ହେଉ ନାହାଁନ୍ତି ବୋଲି ମଧ୍ୟ ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି । ତୁରନ୍ତ ସରକାର ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ସେ କହିଛନ୍ତି ।

Share