Categories: ଜାତୀୟ

ପ୍ରିୟଙ୍କାଙ୍କ ଅଭିଯୋଗ: ‘ଉତ୍ତରପ୍ରଦେଶରେ ନିର୍ବାଚନ ଡ୍ୟୁଟି କରିଥିବା ପ୍ରାୟ ୭୦୦ ଶିକ୍ଷକ ମୃତ’

ନୂଆଦିଲ୍ଲୀ,୧।୫: କଂଗ୍ରେସର ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶନିବାର କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। କରୋନା ମହାମାରୀର ଚିନ୍ତାଜନକ ପରିସ୍ଥିତିରେ ସରକାର ସତ୍ୟକୁ ଦମନ କରୁଥିବା ନେଇ ସେ ଅଭିଯୋଗ କରି କହିଛନ୍ତି, ରାଜ୍ୟରେ ନିର୍ବାଚନ ଦାୟିତ୍ୱ ତୁଲାଇଥିବା ପ୍ରାୟ ୭୦୦ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ଏଥିରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଅଛନ୍ତି। ଘଟଣାରେ ସେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ପ୍ରିୟଙ୍କା ଟୁଇଟ୍‌ କରି କହିଛନ୍ତି, ୟୁପିରେ ନିର୍ବାଚନରେ ଡ୍ୟୁଟି କରୁଥିବା ପ୍ରାୟ ୭୦୦ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଅଛନ୍ତି । ସେମାନେ ନିର୍ବାଚନରେ ଡ୍ୟୁଟି କରିବାକୁ ବାଧ୍ୟ ହୋଇଥିଲେ। କରୋନାର ଦ୍ୱିତୀୟ ଲହରର ଭୟାବହତା ବିଷୟରେ ଥରେ ହେଲେ ଚିନ୍ତା ନ କରି ୟୁପିର ପ୍ରାୟ ୬୦,୦୦୦ ଗ୍ରାମ ପଞ୍ଚାୟତରେ ନିର୍ବାଚନ କରାଯାଇଥିଲା। ସେଠାରେ ସଭା, ନିର୍ବାଚନ ପ୍ରଚାର ହୋଇଥିଲା। ବର୍ତ୍ତମାନ ଗ୍ରାମାଞ୍ଚଳରେ କରୋନା ବ୍ୟାପିବାରେ ଲାଗିଛି। ଗ୍ରାମାଞ୍ଚଳରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟୁଛି, ଯାହାକି ମିଥ୍ୟା ସରକାରୀ ଆକଳନଠାରୁ ଅଧିକ ବୋଲି ସେ କହିଛନ୍ତି।

କଂଗ୍ରେସର ସାଧାରଣ ସମ୍ପାଦକ କହିଛନ୍ତି, ଉତ୍ତରପ୍ରଦେଶର ଗ୍ରାମାଞ୍ଚଳରେ ଲୋକମାନେ ନିଜ ଘରେ ମରୁଛନ୍ତି। କୌଣସି ତଦନ୍ତ ହୋଇ ନ ଥିବାରୁ କୋଭିଡ କାରଣରୁ ତାହାକୁ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଗଣନା କରାଯାଉନାହିଁ। ଦେଖିବାକୁ ଗଲେ ସରକାରଙ୍କ ଆଭିମୁଖ୍ୟ ହେଉଛି ସତ୍ୟକୁ ଦମନ କରିବା ଏବଂ ଦିନରାତି ଲୋକ ତଥା ଲୋକଙ୍କ ସେବା କରୁଥିବା ଡାକ୍ତରୀ ସମ୍ପ୍ରଦାୟକୁ ଭୟଭୀତ କରିବାରେ ଏହାର ସର୍ବାଧିକ ପ୍ରୟାସ ହେଉଛି। ଉତ୍ତରପ୍ରଦେଶରେ ଯାହା ଘଟୁଛି ତାହା ମାନବିକତା ବିରୋଧରେ ଅପରାଧଠାରୁ କମ ନୁହେଁ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଏଥିରେ ଭୂଲ ରହିଛି। ଉତ୍ତରପ୍ରଦେଶ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ପ୍ରକାଶିତ ମୃତ ଶିକ୍ଷକଙ୍କ ତାଲିକାକୁ ସେ ନିଜ ଟୁଇଟ୍‌ ସହିତ ସଂଲଗ୍ନ କରିଛନ୍ତି।

Share