Categories: ଜାତୀୟ

ଗାଜାକୁ ନେଇ ଜାତିସଂଘରେ ମତଦାନରୁ ଦୂରରେ ରହିଲା ଭାରତ, ପ୍ରିୟଙ୍କା କହିଲେ-‘ଲଜ୍ଜାଜନକ’

ନୂଆଦିଲ୍ଲୀ,୨୮।୧୦: ଜାତିସଂଘରେ ହମାସ-ଇସ୍ରାଏଲ ଯୁଦ୍ଧକୁ ନେଇ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ୧୨୦ ଦେଶ ସମର୍ଥନ କରିବା ପରେ ଶୁକ୍ରବାର ଏହା ବହୁମତରେ ପାରିତ ହୋଇଥିଲା। ହେଲେ ଭାରତ ଏହି ଭୋଟିଂରୁ ଦୂରରେ ରହିଥିଲା। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି । ଭାରତ ଜାତିସଂଘରେ ମତଦାନ ନ କରିବା ଲଜ୍ଜାଜନକ ବୋଲି ସେ କହିଛନ୍ତି।
ଗାଜାରେ ଯୁଦ୍ଧବିରାମ ଆଣିବା ଲାଗି ଜାତିସଂଘରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ୧୨୦ ଦେଶ ଏହାକୁ ସମର୍ଥନ କରିଥିବା ବେଳେ ଭାରତ ସମେତ ୪୫ ଦେଶ ମତଦାନଠାରୁ ଦୂରରେ ରହିଥିଲେ। ତେବେ ପ୍ରସ୍ତାବରେ ଆତଙ୍କବାଦୀ ସଂଗଠନ ହମାସକୁ ନେଇ କିଛି କୁହାଯାଇ ନ ଥିବାରୁ ଭାରତ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।
ତେବେ ଭାରତର ଏଭଳି ନିଷ୍ପତ୍ତିକୁ ନେଇ ପ୍ରିୟଙ୍କା କହିଛନ୍ତି, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କାହାର ସମର୍ଥନ ନ କରିବା ଏବଂ ଚୁପ୍‌ଚାପ ଦେଖିବା ଶୁଭଙ୍କର ନୁହେଁ। କାରଣ ମାନବିକତା ସମସ୍ତ ଆଇନର ଉର୍ଦ୍ଧ୍ୱରେ। ଲକ୍ଷ ଲକ୍ଷ ଲୋକ ଖାଦ୍ୟପେୟର ଅଭାବ, ଚିକିତ୍ସାରେ ଅସୁବିଧା, ଯୋଗାଯୋଗ ବିଚ୍ଛିନ୍ନ, ବିଜୁଳି କାଟ୍‌ ଆଦି ସମସ୍ୟା ଦେଇ ଗତି କରୁଛନ୍ତି। ପାଲେଷ୍ଟାଇନ୍‌ରେ ହଜାର ହଜାର ପୁରୁଷ, ମହିଳା ଏବଂ ଶିଶୁଙ୍କ ହତ୍ୟା କରାଯାଉଛି। ଏକ ରାଷ୍ଟ୍ର ଭାବେ ଆମ ଦେଶ ସର୍ବଦା ଏସବୁ ବିଷୟକୁ ବିରୋଧ କରି ଆସିଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଅକ୍ଟୋବର ୭ରେ ହମାସ ଦ୍ୱାରା କରାଯାଇଥିବା ଅଚାନକ ଆକ୍ରମଣ ପରେ ଇସ୍ରାଏଲ ସେନା ଜବାବ ଦେଉଛି। ଏଯାବତ ଗାଜାରେ ୭୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିଭଳି ଇସ୍ରାଏଲର ମଧ୍ୟ ୧୪୦୦ ଲୋକ ପ୍ରାଣ ହରାଇଛନ୍ତି।
Share