Categories: ଜାତୀୟ

କାସଗଞ୍ଜ ହାଜତ ମୃତ୍ୟୁ ମାମଲାକୁ ନେଇ ତେଜୁଛି ରାଜନୀତି: ପୀଡ଼ିତ ପରିବାରକୁ ଭେଟି ପାରନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ,୧୧ ।୧୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବେଳକୁ ବେଳ ସରଗରମ ହେଉଛି ରାଜନୀତି । କାସଗଞ୍ଜ ମାମଲାକୁ ନେଇ ଏବେ ରାଜନୀତି ପୁଣିଥରେ ତେଜିଛି । ଇତିମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତଥା ଉତ୍ତର ପ୍ରଦେଶ କଂଗ୍ରେସ ପ୍ରଭାରୀ ଗୁରୁବାର କାସଗଞ୍ଜ ଯାତ୍ରା କରିପାରନ୍ତି ବୋଲି ଜଣାପଡିଛି । ଏପଟେ କାସଗଞ୍ଜ ମାମଲାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଉତ୍ତର ପ୍ରଦେଶରେ ମାନବାଧିକାର ବୋଲି କିଛି ନାହିଁ । ପ୍ରିୟଙ୍କା କହିଛନ୍ତି ଉତ୍ତର ପ୍ରଦେଶରେ ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛି । ପୋଲିସ କଷ୍ଟଡିରେ ମୃତୁୃ ଘଟଣା ସ୍ପଷ୍ଟ କରୁଛି କି ଏଠାରେ ରକ୍ଷକ ଭକ୍ଷକ ସାଜି ସାରିଛନ୍ତି । ତେଣୁ ରାଜ୍ୟରେ କେହି ବି ସୁରକ୍ଷିତ ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି । ସୂଚନଯୋଗ୍ୟ, ମଙ୍ଗଳବାର କାସଗଞ୍ଜ ପୋଲିସ ଜଣେ ୨୨ ବର୍ଷିୟ ଯୁବକଙ୍କୁ ପଚରା ଉଚରା ପାଇଁ ନେଇଥିଲା । ଯୁବକ ଜଣକ ପୋଲିସ ହାଜତରେ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଏହାକୁ ଅତ୍ମହତ୍ୟା କହୁଥିବା ବେଳେ ଯୁବକଙ୍କ ପରିବାର କିନ୍ତୁ ଅଭିଯୋଗ ଆଣିଛନ୍ତି କି ପିଟି ପିଟି ତାଙ୍କୁ ମାରି ଦିଆଯାଇଛି । ଏବେ ଏହାକୁ ନେଇ ଉତ୍ତର ପ୍ରଦେଶ ରାଜନୀତି ହୋଇଛି ସରଗରମ । ତେବେ ଯୁବକଙ୍କ ମୃତ୍ୟୁ କେମିତି ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହାଇନାହିଁ ।

Share