ବାଇକ୍‌ରେ ହେଲିପ୍ୟାଡକୁ ଗଲେ ପ୍ରିୟଙ୍କା

କୁଶୀନଗର,୨୮।୨: ଉତ୍ତରପ୍ରଦେଶର କୁଶୀନଗରରେ ମାର୍ଚ୍ଚ ୩ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟନୈତିକ ଦଳ ବିଭିନ୍ନ ପନ୍ଥା ଆପଣାଇଛନ୍ତି। ଇତିମଧ୍ୟରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଚାର ପାଇଁ ସୋମବାର କୁଶୀନଗରରେ ପହଞ୍ଚିଥିଲେ। ବାଲିଆର ଏକ ରୋଡ ଶୋ’ରେ ପ୍ରିୟଙ୍କା ଯୋଗଦେଇଥିଲେ। ଲୋକମାନେ ତାଙ୍କୁ ଫୁଲତୋଡ଼ା ଓ ଫୁଲମାଳ ଦେଇ ସ୍ବାଗତ କରିଥିଲେ। ପ୍ରିୟଙ୍କା ମଧ୍ୟ ଜନତାଙ୍କ ଅଭିବାଦନ ଗ୍ରହଣ କରି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ସେହିପରି କୁଶୀନଗରର ତମକୁହି ରାଜରେ ଅୟୋଜିତ ହୋଇଥିବା ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ ପ୍ରିୟଙ୍କା। ଏହାପରେ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ କୁମାର ଲଲୁଙ୍କ ଘରକୁ ଯାଇଥିଲେ। ସେହିସମୟରେ ସେ ଏକ ଟ୍ରାଫିକ୍‌ ଜାମରେ ଫସିଯାଇଥିଲେ। କିଛି ସମୟ ଧରି ତାଙ୍କୁ ସେଠାରେ ଅପେକ୍ଷା କରିବାକୁ ପଡ଼ିଥିଲା। ଅନ୍ୟପଟେ ହେଲିକପ୍ଟରଟି ସୂର୍ଯ୍ୟାସ୍ତ ପୂର୍ବରୁ ଉଡ଼ିବାକୁ ଥିବା ବେଳେ ସେଠାକୁ ପହଞ୍ଚିବା ପାଇଁ କଂଗ୍ରେସ ମହାସଚିବଙ୍କୁ ବିଳମ୍ବ ହୋଇଥିଲା। ଯାହାଫଳରେ ଅଜୟ ନିଜ ଘରୁ ହେଲିପ୍ୟାଡ ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ବାଇକ୍‌ରେ ବସାଇ ପହଞ୍ଚାଇଥିଲେ। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

 

Share