Categories: ଜାତୀୟ

‘ଇତିହାସରେ ସବୁଠାରୁ ଲଜ୍ଜାଜନକ ଘଟଣା’ ଏମ୍‌ପିଙ୍କ ନିଲମ୍ବନକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୮।୧୨: ସଂସଦର ଶୀତକାଳୀନ ଅଧିବେଶନରେ ସୋମବାର ଉତ୍ତେଜନା ଯୋଗୁ ଗୃହକାର୍ଯ୍ୟ ଚାଲିପାରିନାହିଁ। ଲୋକ ସଭା ଏବଂ ରାଜ୍ୟ ସଭାରେ ବିରୋଧୀଦଳ ସଦସ୍ୟମାନେ ସଂସଦର ସୁରକ୍ଷା ଅଭାବ ମାମଲାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ବିବୃତ୍ତି ଦାବି କରିଛନ୍ତି। ଗୃହରେ ବିଶୃଙ୍ଖଳା କରୁଥିବା ଅଭିଯୋଗରେ ଲୋକ ସଭା ଓ ରାଜ୍ୟ ସଭାର ମୋଟ ୯୨ ଏମ୍‌ପିଙ୍କୁ ପୂରା ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି। ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ଉପରେ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିଜର ପ୍ରତିକ୍ରିୟା ଦେଇଛନ୍ତି।

କଂଗ୍ରେସ ନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ସଂସଦର ସୁରକ୍ଷାରେ ବିପଜ୍ଜନକ ତ୍ରୁଟି ହୋଇଛି। ଏହି ଅବହେଳାର ଉତ୍ତର ମାଗୁଥିବା ୯୨ ବିରୋଧୀ ଏମ୍‌ପିଙ୍କୁ ଏକଛତ୍ରବାଦୀ ସରକାର ନିଲମ୍ବିତ କରିଛନ୍ତି। ସଂସଦର ସୁରକ୍ଷା ସୁନିଶ୍ଚିତ କରିପାରି ନ ଥିବା ସରକାର ଗଣତନ୍ତ୍ରକୁ କ୍ଷୁର୍ଣ୍ଣ କରିଛନ୍ତି।

ପ୍ରିୟଙ୍କା ଆହୁରି କହିଛନ୍ତି , ଏକ ପ୍ରକାରେ ସମସ୍ତ ବିରୋଧୀଙ୍କୁ ସଂସଦରୁ ବାହାର କରିଦିଆଯାଇଛି।  ଭାରତୀୟ ଗଣତନ୍ତ୍ର ଉପରେ ଇତିହାସରେ ଏହା ସବୁଠାରୁ ଲଜ୍ଜାଜନକ ଆକ୍ରମଣ। ଦେଶବାସୀ ଦେଖୁଛନ୍ତି କି ଯେଉଁ ଗଣତନ୍ତ୍ରକୁ ଲକ୍ଷ ଲକ୍ଷ ବଳିଦାନ ଆଧାରରେ ହାସଲ କରାଯାଇଥିଲା, ତାକୁ କିପରି କ୍ଷୁର୍ଣ୍ଣ କରାଯାଉଛି।

Share