Categories: ଜାତୀୟ

ଯୋଗୀଙ୍କ ଉଦ୍ଦେଶ୍ୟରେ ପ୍ରିୟଙ୍କାଙ୍କ ଚିଠି

ଲକ୍ଷ୍ନୌ,୨୮।୭: ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ପତ୍ର ଲେଖିଛନ୍ତି। ସେଠାକାର ଆଇନ ବ୍ୟବସ୍ଥାକୁ ନେଇ ସାଧାରଣ ଜନତା ଅତିଷ୍ଠ ହୋଇଥିବା ବେଳେ ଏବେ ସେଠାରେ ଅପହରଣ ଭଳି ଘଟଣା ବଢିବାରେ ଲାଗିଛି। ତେଣୁ ତୁରନ୍ତ ଯୋଗୀ ସରକାର ସେଠାକାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଧ୍ୟାନ ଦେବାକୁ ପ୍ରିୟଙ୍କା ଲେଖିଛନ୍ତି। ମଙ୍ଗଳବାର ଲେଖିଥିବା ଏହି ପତ୍ରରେ ପ୍ରିୟଙ୍କା କହିଛନ୍ତି, କାନପୁର, ଗୋଣ୍ଡା, ଗୋରଖପୁର ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଶ୍ଚୟ ଜାଣିଥିବେ। ହେଲେ ଗାଜିଆବାଦର ଏକ ପରିବାର କଥା ସେ କହିବାକୁ ଚାହିଁଛନ୍ତି। ସେ କହିଛନ୍ତି ଉକ୍ତ ପରିବାରର ବ୍ୟବସାୟୀ ବିକ୍ରମ ତ୍ୟାଗି ପାଖାପାଖି ୧ ମାସ ହେବ ନିଖୋଜ ଅଛନ୍ତି। ତେବେ ତାଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି। କିନ୍ତୁ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ନେଇ ପୋଲିସ ଅବା ପ୍ରଶାସନ ଧ୍ୟାନ ଦେଉ ନାହାନ୍ତି ବୋଲି ଉକ୍ତ ପରିବାର କହିଛନ୍ତି। ତେବେ ବିକ୍ରମଙ୍କ ପରିବାରକୁ ସହଯୋଗ ସହ ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ପ୍ରିୟଙ୍କା ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଲେଖିଛନ୍ତି।

Share