ଖଟାପ୍ରିୟ ପ୍ରିୟଙ୍କା

ପ୍ରିୟଙ୍କା ଚୋପ୍ରାଙ୍କୁ କ’ଣ ଖାଇବାକୁ ବେଶି ଭଲ ଲାଗେ ? ଏହି ପ୍ରଶ୍ନର ଉତ୍ତର ସେ ହିଁ ଦେଇପାରିବେ। ତାଙ୍କର ମନ ପସନ୍ଦର ଅନେକ ଖାଦ୍ୟ ତ ରହିଛି। ହେଲେ ଗୋଟିଏ ଖାଦ୍ୟ ଆଇଟମ୍‌କୁ ସେ କେବେ ନିଜ ଖାଦ୍ୟ ତାଲିକାରୁ ବାଦ୍‌ ଦେଇ ନ ଥାନ୍ତି। ତାହା କ’ଣ ଜାଣନ୍ତି ? ଖଟା। ଅର୍ଥାତ୍‌ ଯେ ଖାଇବା ବେଳେ ନିଜର ଖାଦ୍ୟ ସହ କିଛି ଖଟା ଖାଇବାକୁ ଆଦୌ ଭୁଲି ନ ଥାନ୍ତି। ଏ ନେଇ ପ୍ରିୟଙ୍କା କହନ୍ତି, ‘ଖଟା ଖାଇବା ମୋର ପିଲାଦିନରୁ ଅଭ୍ୟାସ। ଏବେ ମଧ୍ୟ ସେହି ଅଭ୍ୟାସରୁ ନିଜକୁ ମୁଁ ମୁକୁଳାଇ ପାରିନି। ଆଉ ଯେତେବେଳେ ମୋ ସାଙ୍ଗମାନଙ୍କ ସହ ଭେଟ ହୋଇଯାଏ, ସେତେବେଳେ ଏକାଠି ହୋଇ ଖଟା ଖାଇବାର ମଜା ନିଶ୍ଚୟ ନିଆରା। ମୋର ଏଭଳି ଅଭ୍ୟାସକୁ ପତିଦେବ ନିକ୍‌ ଜୋନାସ୍‌ ମଧ୍ୟ ପ୍ରଶଂସା କରିଛନ୍ତି।’ ହେଲେ ଜାଣନ୍ତି, ଅଭିନୟକୁ କ୍ୟାରିୟର କରିବା ପୂର୍ବରୁ ପ୍ରିୟଙ୍କାଙ୍କ ଇଚ୍ଛା କ’ଣ ଥିଲା। ପାଠ ପଢ଼ିବା ସମୟରେ ସେ ଏରୋନଟିକାଲ ଇଞ୍ଜିନିୟର ହେବାକୁ ଚାହୁଁଥିଲେ। ହେଲେ ‘ମିସ୍‌ ଇଣ୍ଡିଆ’ ଟାଇଟଲ ଜିତିବା ପରେ ତାଙ୍କର ମନ ଆକ୍ଟିଂ ଦିଗକୁ ଢଳିଥିଲା। ୨୦୦୯ରେ ପ୍ରିୟଙ୍କା ଏକ ଇଂରାଜୀ ଦୈନିକ ଖବରକାଗଜ ପାଇଁ ଆର୍ଟିକିଲ୍‌ ଲେଖୁଥିଲେ ଏବଂ ତାହା ‘ଦ ପ୍ରିୟଙ୍କା ଚୋପ୍ରା କଲମନ୍‌’ ନାମରେ ପ୍ରକାଶିତ ହେଉଥିଲା। ଏହି ଅଭିନେତ୍ରୀଙ୍କର ‘ପ୍ରିୟଙ୍କା ଚୋପ୍ରା ଫାଉଣ୍ଡେଶନ ଫର୍‌ ହେଲ୍‌ଥ ଆଣ୍ଡ ଏଜୁକେଶନ’ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ରହିଛି, ଯାହା ଗରିବ ପିଲାମାନଙ୍କ ଶିକ୍ଷା ଏବଂ ସ୍ବାସ୍ଥ୍ୟ ପାଇଁ କାର୍ଯ୍ୟ କରିଥାଏ।

Share