Categories: ଜାତୀୟ

ପ୍ରିୟଙ୍କା-ଏନ୍‌ସିଡବ୍ଲ୍ୟୁ ମୁଖ୍ୟ ବାକ୍‌ଯୁଦ୍ଧ

ମୁମ୍ବାଇ,୯ା୧୧: ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ନାରୀଶିକ୍ଷାର ଗୁରୁତ୍ୱ ସମ୍ପର୍କିତ ନୀତୀଶ କୁମାରଙ୍କ ମନ୍ତବ୍ୟକୁ ନେଇ ଶିବସେନା (ୟୁବିଟି) ରାଜ୍ୟ ସଭା ସଦସ୍ୟା ପ୍ରିୟଙ୍କା ଚତୁର୍ବେଦୀ ଏବଂ ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା ରେଖା ଶର୍ମାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ହୋଇଛି। ଜଣେ ଶିକ୍ଷିତ ମହିଳା ନିଜ ସ୍ବାମୀଙ୍କୁ ଶାରୀରିକ ସମ୍ପର୍କ ବେଳେ କିପରି ସଂଯମ କରାଇପାରିବେ ଏହା ଉପରେ ନୀତୀଶଙ୍କ ବିସ୍ତୃତ ବର୍ଣ୍ଣନାକୁ ନିନ୍ଦାକରି ରେଖା ଉକ୍ତ ପୋଷ୍ଟରେ ଶିବସେନା ୟୁବିଟିର ପ୍ରିୟଙ୍କା, କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଆମ୍‌ ଆଦ୍‌ମୀ ପାର୍ଟି ନେତ୍ରୀ ଆତିଶୀଙ୍କୁ ଟ୍ୟାଗ୍‌ କରିଥିଲେ। ନୀତୀଶଙ୍କ ମନ୍ତବ୍ୟକୁ ନିନ୍ଦା କରି ନିଃସର୍ତ୍ତ କ୍ଷମା ଦାବି କରିବାକୁ ସେ ଅନୁରୋଧ କରିଥିଲେ। ଏହାର ଜବାବରେ ପ୍ରିୟଙ୍କା ଚତୁର୍ବେଦୀ ସୋସିଆଲ ମିଡିଆରେ କହିଥିଲେ, ଏନ୍‌ସିଡବ୍ଲ୍ୟୁ ମୁଖ୍ୟ ନିରପେକ୍ଷ ହେବା ଉଚିତ। କିନ୍ତୁ ରେଖା ଭେଦଭାବ ରଖି କେଉଁଠି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତ ପୁଣି କେଉଁ ସ୍ଥାନରେ ନୀରବ ରହୁଛନ୍ତି। ଏହା ଉପରେ ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା ରେଖା ପୁଣି କହିଲେ, ଏକଦା ଆପଣଙ୍କ ଦଳରେ ଥିବା ଜଣେ ନେତାଙ୍କ କାରନାମା ଉପରେ ମୁଁ ପ୍ରମାଣ ଦେଖାଇବା ପରେ ମଧ୍ୟ ଆପଣ କିଛି କରିପାରି ନ ଥିଲେ। ମନେଅଛି ତ? ସେ ଟ୍ରୋଲ୍‌ର ଶିକାର ହେବା ପରିର୍ତ୍ତେ ନିଜ ଦାୟିତ୍ୱ ପ୍ରତି ଉତ୍ତରଦାୟୀ ହେବା ଉଚିତ ବୋଲି ପ୍ରିୟଙ୍କା ଏକ୍ସ’ରେ ଉଲ୍ଲେଖ କରିଥିଲେ। ନୀତୀଶ କୁମାର କ୍ଷମା ମାଗିବା ପରେ ମଧ୍ୟ ବାକ୍‌ଯୁଦ୍ଧ ଚାଲିଥିଲା।

Share