Categories: ଜାତୀୟ

ରାଏବରେଲୀ-ଅମେଠିରୁ ଲଢ଼ିବେନି ପ୍ରିୟଙ୍କା, ରାହୁଲ

ନୂଆଦିଲ୍ଲୀ,୧୮।୩: ନେହେରୁ-ଗାନ୍ଧୀ ପରିବାରର ସୁରକ୍ଷିତ ଆସନ ରହିଆସିଥିବା ଦୁଇ ସଂସଦୀୟ କ୍ଷେତ୍ର ରାଏବରେଲୀ ଏବଂ ଅମେଠି ଏଥର କଂଗ୍ରେସ ହାତରୁ ଖସିଯାଇପାରେ। କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀ ନିକଟରେ ରାଜସ୍ଥାନରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ରାଏବରେଲୀରୁ ସେ ଲଢ଼ୁନାହାନ୍ତି। ଏହି ସଂସଦୀୟ ଆସନରୁ ସୋନିଆଙ୍କ ଝିଅ ତଥା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା। ଇତିମଧ୍ୟରେ କଂଗ୍ରେସ ପକ୍ଷରୁ ୨ ପର୍ଯ୍ୟାୟରେ ପ୍ରକାଶିତ ପ୍ରାର୍ଥୀ ତାଲିକାରେ ୧୩୪ ଜଣଙ୍କ ନାଁ ରହିଛି। ରାହୁଲ ଗାନ୍ଧୀଙ୍କୁ କେରଳର ଓ୍ବାୟନାଡ୍‌ ଆସନରୁ ପୁଣିଥରେ ପ୍ରାର୍ଥୀ କରାଯାଇଛି। ୨୦୧୯ରେ ସେ ଅମେଠି ଆସନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କଠାରୁ ହାରିଯାଇଥିବାରୁ ଏହି ଆସନରେ ତାଙ୍କୁ ପୁନର୍ବାର ପ୍ରାର୍ଥୀ କରାଯିବ ନାହିଁ ବୋଲି ଜଣାପଡ଼ିଛି। ଏଆଇସିସି ମୁଖପାତ୍ର ସୁପ୍ରିୟା ଶ୍ରୀନେତଙ୍କୁ ଦଳ ଅମେଠିରୁ ପ୍ରାର୍ଥୀ କରିପାରେ। ସେହିପରି ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ମୁଖପାତ୍ର ପଓ୍ବନ ଖେରାଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି। ଉଭୟ ପ୍ରିୟଙ୍କା ଓ ରାହୁଲ ଆଗାମୀ ନିର୍ବାଚନରେ ପ୍ରଚାର ମଙ୍ଗ ଧରିବାକୁ ଥିବାବେଳେ ରାଏବରେଲୀ ଓ ଅମେଠି ଆସନରେ ଉଭୟ ସୀମିତ ହୋଇଗଲେ ଦଳ ପାଇଁ କ୍ଷତି ହେବ ବୋଲି କେତେଜଣ ବରିଷ୍ଠ ନେତା ଆଶଙ୍କା କରୁଛନ୍ତି। ଏହି ଦୃଷ୍ଟିରୁ ଭଉଣୀଭାଇଙ୍କୁ କଂଗ୍ରେସ ସେମାନଙ୍କ ପାରମ୍ପରିକ ଆସନରୁ ଛିଡ଼ା କରାଇ ନ ପାରେ।

Share