Categories: ଜାତୀୟ

ପାଇଲଟଙ୍କୁ ମନାଇବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୩।୭: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ହୁଏତ ଅଶୋକ ଗେହଲଟଙ୍କ ସରକାର ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। କିନ୍ତୁ ଦଳ ତାଙ୍କୁ ହରାଇବାକୁ ଚାହୁଁନାହିଁ। ରାଜନୈତିକ ଯୁଦ୍ଧରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୋମବାର ଗଣମାଧ୍ୟମ ସମ୍ମୁଖରେ ନିଜର ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଯାଦ୍ୱାରା ଗେହଲଟ ସରକାରଙ୍କ ଉପରେ ଥିବା ସଙ୍କଟ ଏବେ କିଛି ମାତ୍ରାରେ ଦୂରେଇଯାଇଥିବା ଜଣାପଡ଼ିଛି। ପାଇଲଟଙ୍କ ବିଦ୍ରୋହ ତାଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ କଂଗ୍ରେସ ସଚିନଙ୍କୁ ଦଳରୁ ହରାଇବାକୁ ଚାହୁଁନାହିଁ। କୌଣସି ପ୍ରକାରେ ତାଙ୍କୁ ମନାଇବାକୁ ଚେଷ୍ଟା କରାଯାଉଛି। ଇତିମଧ୍ୟମରେ ରାହୁଲ ଗାନ୍ଧୀଙ୍କ ନିକଟତର ବନ୍ଧୁ ସଚିନ ପାଇଲଟଙ୍କୁ ମନାଇବା ପାଇଁ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ସଙ୍କଟକୁ ଶେଷ କରିବା ପାଇଁ ପ୍ରିୟଙ୍କା କମାଣ ସମ୍ଭାଳିବା ସହ ସଚିନ ଓ ଗେହଲଟଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଦୁଇ ନେତା କଥାବାର୍ତ୍ତା ଜରିଆରେ ଏହି ବିବାଦର ସମାଧାନ କରନ୍ତୁ ବୋଲି ପ୍ରିୟଙ୍କା କହିଛନ୍ତି। ସେହିପରି ସଚିନଙ୍କ ସହ ପ୍ରିୟଙ୍କା ଫୋନରେ କଥା ହୋଇ ତାଙ୍କୁ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି, ଦଳରେ ତାଙ୍କ କଥା ଶୁଣାଯିବା ସହ ବୁଝାଯିବ ମଧ୍ୟ। ସୂଚନାଯୋଗ୍ୟ, ପ୍ରିୟଙ୍କାଙ୍କ ବ୍ୟତୀତ ରାହୁଲ ଗାନ୍ଧୀଙ୍କ ସମେତ ୫ଜଣ ବଡ଼ ନେତା ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା କୁହାଯାଉଛି। ଅନ୍ୟପଟେ କିଛି ସମୟ ପୂର୍ବରୁ ଜୟପୁର ସ୍ଥିତ କଂଗ୍ରେସ ମୁଖ୍ୟାଳୟରୁ ସଚିନଙ୍କ ପ୍ରଦେଶ ଅଧ୍ୟକ୍ଷ ପୋଷ୍ଟରକୁ କାଢ଼ି ଦିଆଯାଇଥିଲା। କିନ୍ତୁ ପ୍ରିୟଙ୍କାଙ୍କ ନିର୍ଦ୍ଦେଶ ପରେ ପୁଣି ଥରେ ପୋଷ୍ଟରକୁ ଲଗାଯାଇଥିବା ଜଣାପଡ଼ିଛି।

Share