ଚଣ୍ଡିଗଡ଼,୨୮।୧୧ : ପଟିଆଲା ଜେଲରେ ଥିବା ପଞ୍ଜାବର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ଉପରେ କଂଗ୍ରେସ ହାଇକମାଣ୍ଡଙ୍କ ଭରସା ରହିଛି। କୁହାଯାଉଛି ଯେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସିଦ୍ଧୁଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ କ’ଣ ଲେଖାଯାଇଛି ସେ ବିଷୟରେ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳି ନାହିଁ।
କିନ୍ତୁ ପଞ୍ଜାବ କଂଗ୍ରେସରେ ଏହି ଚିଠିକୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ ସିଦ୍ଧୁ ଜେଲରୁ ବାହାରିବା ମାତ୍ରେ ସେ ରାଜ୍ୟ କଂଗ୍ରେସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଜେଲ ଅଧୀକ୍ଷକ ମନୋଜ ସିଂ ତିୱାନା ସିଦ୍ଧୁଙ୍କ ପାଖକୁ ପ୍ରିୟଙ୍କାଙ୍କ ଚିଠି ଆସିଥିବା ବିଷୟରେ କହିଛନ୍ତି।
ଏକ ମାମଲାରେ ଜେଲରେ ଦଣ୍ଡ ଭୋଗୁଥିବା ନବଜୋତ ସିଦ୍ଧୁ ଜେଲରୁ ବାହାରିବା ମାତ୍ରେ ଏକ ବଡ ଦାୟିତ୍ୱ ପାଇବେ। ସେ ଜେଲ ଯିବା ପରେ କଂଗ୍ରେସ ତାଙ୍କ ସହ ରହିଥିବା କହିଥିଲା। ସିଦ୍ଧୁ ଗତ ୬ ମାସ ଧରି ଜେଲରେ ରହିଛନ୍ତି। ଏକ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ସେ କିଛି ମାସ ପରେ ଜେଲରୁ ମୁକୁଳିବେ। ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ୯ ଟି ରାଜ୍ୟର ବିଧାନସଭା ନିର୍ବାଚନରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।