Advertisement

ଅଙ୍ଗଦାନ ନେଇ ପ୍ରିୟଙ୍କାରାଣୀଙ୍କ ପରିବାରକୁ ମିଳିଲା ୫ ଲକ୍ଷ

ଛତ୍ରପୁର,୧୪ା୮(ଡି.ଏନ୍‌.ଏ.)- ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କୁ ମରଣୋତ୍ତର ସୁରଜ ସମ୍ମାନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏଥିସହ ତାଙ୍କ ପରିବାରକୁ ପାଞ୍ଚଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଦେଇଛନ୍ତି। ଛତ୍ରପୁରସ୍ଥିତ ଜିଲାପାଳଙ୍କ ଭିଡିଓ କନ୍‌ଫରେନ୍ସ ହଲ୍‌ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରିୟଙ୍କାରାଣୀଙ୍କ ସ୍ବାମୀ ଭି. ସମୀର କୁମାର ରାଜୁ, ସମୀର କୁମାରଙ୍କ ପିତା ଭି. ଧର୍ମାରାଜୁ ଏବଂ ତାଙ୍କ ଭାଇ ଭି. ସଚିନ କୁମାରଙ୍କ ଉପସ୍ଥିତିରେ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଭୁବନେଶ୍ୱରରେ ଭିଡିଓ କନଫରେନ୍ସରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମଣିଷ ମଧ୍ୟରେ ମଣିଷ ପଣିଆ ବଞ୍ଚିରହିଛି। ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କ ପୌରୋହିତ୍ୟରେ ଭିଡିଓ କନ୍‌ଫରେନ୍ସ ଅନୁଷ୍ଠିତ ହୋଇଥିଲା।
ଛତ୍ରପୁରରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ଅମୀୟ କୁମାର ସାହୁ, ଜିଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ଜାନୁୟାରୀ ୨୬ରେ ସଡକ ଦୁର୍ଘଟଣାରେ ପ୍ରିୟଙ୍କାରାଣୀଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଆହତ ହୋଇଥିଲେ। ପ୍ରିୟଙ୍କାରାଣୀଙ୍କ ମୃତ୍ୟୁ ଘଟିବାରୁ ପରିବାରବର୍ଗ ଅଙ୍ଗଦାନ କରିବାକୁ ସମ୍ମତି ଜଣାଇଥିଲେ। ତାଙ୍କ କିଡ୍‌ନୀ ଆପୋଲୋ ହସ୍ପିଟାଲ ଏବଂ କଟକ ଏସସିବି ମେଡିକାଲର ଆବଶ୍ୟକ କରୁଥିବା ୨ ରୋଗୀଙ୍କୁ ପ୍ରଦାନ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share