Categories: ଜାତୀୟ

ପ୍ରିୟଙ୍କାଙ୍କ ମିଶନ-୨୦୨୨ ସଙ୍କଟରେ, ହାତ ଛାଡ଼ି ସାଇକେଲ ଚଳାଇବାକୁ ବାଡ଼ଡିଆଁ ଯୋଜନା…

ଲକ୍ଷ୍ନୌ,୨୦।୧୦: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ ଫେବୃୟାରୀ ମାର୍ଚ୍ଚରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏପରିସସ୍ଥଳେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମିଶନ-୨୦୨୨ ସଙ୍କଟରେ ପଡ଼ିଛି। ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସର ବରିଷ୍ଠ ନେତା ଦଳ ଛାଡ଼ିବା ଆରମ୍ଭ କରିଛନ୍ତି। ଇତିମଧ୍ୟରେ ମଧ୍ୟରେ ମଙ୍ଗଳବାର ପୂର୍ବତନ ଏମ୍‌ପି ହରେନ୍ଦ୍ର ମଲିକ ଏବଂ ତାଙ୍କ ପୁଅ ତଥା ପୂର୍ବତନ ବିଧାୟକ ପଙ୍କଜ ମଲିକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେମାନେ ବାଡ଼ ଡେଇଁ ଏବେ ସମାଜବାଦୀ ପାର୍ଟି ମୁହାଁ ହୋଇଥିବା ଚର୍ଚ୍ଚା ହୋଇଛି। ଅକ୍ଟୋବର ୨୨ରେ ସେମାନେ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ହାତ ଛାଡ଼ି ସାଇକେଲ ଚଳାଇବେ ବୋଲି କୁହାଯାଉଛି।

ଗତ ୩ ଦଶନ୍ଧି ଧରି ରାଜ୍ୟରେ କଂଗ୍ରେସ କ୍ଷମତାଠାରୁ ଦୂରରେ ରହିଛି। କଂଗ୍ରେସର ବନବାସ ଶେଷ କରିବା ଲାଗି ପ୍ରିୟଙ୍କା ଉଦ୍ୟମ ଜାରି ରଖିଛନ୍ତି। ୨୦୧୭ରେ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପରାଜୟ ସ୍ବୀକାର କରିବାକୁ ପଡ଼ିଥିଲା। ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ରାଜ୍ୟରେ କଂଗ୍ରେସ ବିଫଳ ରହିଥିଲା।

ରାଜ୍ୟର ବୁନ୍ଦେଲଖଣ୍ଡରେ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡ଼ିଛନ୍ତି। ଏହା ତୃଣମୂଳସ୍ତରରେ କଂଗ୍ରେସ ସଂଗଠନକୁ ଦୁର୍ବଳ କରିଛି। ଅପରପକ୍ଷରେ ଭାଜପାର ସ୍ଥିତି ରାଜ୍ୟରେ ଧୀରେଧୀରେ ପୁଣି ସୁଦୃଢ଼ ହେବାରେ ଲାଗିଛି।

Share