ଖଲିସ୍ତାନୀ ରାଲି ବିରୋଧରେ ଭାରତ ସପକ୍ଷବାଦୀଙ୍କ ସମାବେଶ

ଟରଣ୍ଟୋ, ୧୦ା୭ : କାନାଡ଼ାର ଟରଣ୍ଟୋସ୍ଥିତ ଭାରତୀୟ ବାଣିଜି୍ୟକ ଦୂତାବାସ ବାହାରେ ରବିବାର ଖଲିସ୍ତାନୀ ସମର୍ଥକମାନଙ୍କ ରାଲି ଫିକା ପଡ଼ିଯାଇଛି। କାରଣ ଉକ୍ତ ସ୍ଥାନରେ ବହୁସଂଖ୍ୟାରେ ଭାରତ ସପକ୍ଷବାଦୀମାନେ ଜାତୀୟ ପତାକା ଧରି ରୁଣ୍ଡ ହୋଇଥିଲେ। ସେମାନେ ‘ଭାରତ ମାତା କୀ ଜୟ’, ‘ବନ୍ଦେ ମାତରଂ’ ଏବଂ ‘ଲଙ୍ଗ୍‌ ଲିଭ୍‌ ଇଣ୍ଡିଆ’ ସ୍ଲୋଗାନ ଦେଇଥିଲେ। ଭାରତ ସପକ୍ଷବାଦୀଙ୍କ ତୁଳନାରେ ଖଲିସ୍ତାନୀ ସମର୍ଥକଙ୍କ ସଂଖ୍ୟା ଯଥେଷ୍ଟ କମ୍‌ ଥିଲା। ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରେ ଖଲିସ୍ତାନୀ ସ୍ବାଧୀନତା ରାଲି ନାମରେ ପୋଷ୍ଟର ଲଗାଯାଇଥିଲା, ଯେଉଁଥିରେ ଓଟ୍ଟାଓ୍ବାରେ ଭାରତର ହାଇକମିଶନର ସଞ୍ଜୟ କୁମାର ବର୍ମା ଏବଂ ଟରଣ୍ଟୋରେ ଥିବା ଭାରତର କନ୍‌ସୁଲେଟ୍‌ ଜେନେରାଲ ଅପୂର୍ବା ଶ୍ରୀବାସ୍ତବଙ୍କୁ ଖଲିସ୍ତାନୀ ଟାଇଗର ଫୋର୍ସ ମୁଖ୍ୟ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟାକାରୀ ବୋଲି ଲେଖାଯାଇଥିଲା। ଏହାକୁ ନେଇ ଭାରତରେ ଉତ୍ତେଜନା ପ୍ରକାଶ ପାଇଥିଲା।

Share