Categories: ଜାତୀୟ

ଗମ୍ଭୀରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୪।୫ : ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦେଶରେ ଅଭାବ ଥିବା କୋଭିଡ୍‌-୧୯ ଔଷଧକୁ ପ୍ରବଳ ମାତ୍ରରେ କିଣିବା ସହ ନିଜ ନିର୍ବାଚନ ମଣ୍ଡଳିରେ ମାଗଣାରେ ବାଣ୍ଟିଥିଲେ। ଦିଲ୍ଲୀ ହାଇକୋର୍ଟ ସୋମବାର ଏହି ଘଟଣାର ତଦନ୍ତ ପାଇଁ ଔଷଧ ନିୟନ୍ତ୍ରକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଏପି ବିଧାୟକ ପ୍ରୀତି ତୋମାର ଓ ପ୍ରବୀଣ କୁମାରଙ୍କ ବିରୋଧରେ ମଧ୍ୟ ସମାନ ପ୍ରକାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଜଷ୍ଟିସ ବିପିନ ସାଙ୍ଘି ଓ ଯଶମିତ ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, କୋଭିଡ୍‌ ଆକ୍ରାନ୍ତଙ୍କୁ ଦିଆଯାଉଥିବା ଫାବିଫ୍ଲୁ ଭଳି ଗୁରୁତ୍ୱପୂର୍ଣ୍ଣ ଔଷଧର ୨ ହଜାର ଷ୍ଟ୍ରିପ ଜଣେ କେଉଁଭଳି ମହଜୁଦ ରଖିପାରିବ। ଆଉ କେମିଷ୍ଟ କେମିତି ଏତେ ପରିମାଣର ଔଷଧ ଦେଲେ, ତାହାର ତଦନ୍ତ କରାଯିବା ଦରକାର। ଆମେ ଗମ୍ଭୀରଙ୍କ ଉଦ୍ଦେଶ୍ୟକୁ ସନ୍ଦେହ କରୁନାହୁଁ। ସେ ଆମ ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିଲେ। ଆମର ପ୍ରଶ୍ନ ହେଉଛି, ଔଷଧ ଅଭାବବେଳେ ଏହା କ’ଣ ଦାୟିତ୍ୱପୂର୍ଣ୍ଣ ଆଚରଣ?

Share