Categories: ଜାତୀୟ

ବଳାତ୍କାର ପୀଡ଼ିତାଙ୍କ ଜାତକରେ ମାଙ୍ଗଳିକ ଦୋଷ ଯାଞ୍ଚ୍‌: ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୬ : ବଳାତ୍କାର ପୀଡିତାଙ୍କ ଜାତକ ଯାଞ୍ଚ୍‌ କରିବାକୁ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି।

ବଳାତ୍କାରରଅଭିଯୁକ୍ତଙ୍କ ଜାମିନରେ ନେଇ ଆହ୍ଲାବାଦ ହାଇକୋର୍ଟର ଏକ ଅଜବ ଆଦେଶ ଉପରେ ସୁପ୍ରିମକୋର୍ଟ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ପୀଡିତାଙ୍କ ଜାତକ ଉପରେ ହାଇକୋର୍ଟ ଏକ ରିପୋର୍ଟ ମାଗିଥିଲେ। ସୁପ୍ରିମକୋର୍ଟ ଏହାକୁ ଅନାବଶ୍ୟକ ବୋଲି କହିଛନ୍ତି। ଶନିବାର ରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଶୁଣାଣିରେଅବକାଶ ବେଞ୍ଚ କହିଛନ୍ତି, ପୀଡିତାଙ୍କ ମାଙ୍ଗଳିକ ଦୋଷ ସମ୍ପର୍କରେ ଜାଣିବା ଜରୁରୀ ନୁହେଁ। ତଥ୍ୟ ଅନୁଯାୟୀ ଜାମିନ ଉପରେ ହାଇକୋର୍ଟ ନିଷ୍ପତ୍ତି ନେବା ଉଚିତ।

ବିବାହର ବାହାନା କରି ସମ୍ପର୍କ ଥିବାରୁ ଜଣେ ବ୍ୟକ୍ତିଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଛି। ଅଭିଯୋଗ ହୋଇଛି ସେ ଝିଇଙ୍କର ମଙ୍ଗଳ ଦୋଷ ରହିଥିବା କହି ବିବାହ କରିବାକୁ ମନା କରିଦେଇଥିଲେ। ତାଙ୍କ ଜାମିନ ଆବେଦନ ମେ ୨୩ ରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଶୁଣାଣି ହୋଇଥିଲା। ହାଇକୋର୍ଟର ଜଷ୍ଟିସ ବ୍ରିଜ ରାଜ ସିଂ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ଶାସ୍ତ୍ର ବିଭାଗର ମୁଖ୍ୟଙ୍କଠାରୁ ରିପୋର୍ଟ ମାଗିଥିଲେ।

ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ ଏକ ସ୍ବତନ୍ତ୍ର ଶୁଣାଣି କରିଥିଲେ। ଜଷ୍ଟିସ ସୁଦର୍ଶନ ଧୁଲିଆ ଏବଂ ପଙ୍କଜ ମିଥାଲଙ୍କ ବେଞ୍ଚ ଶୁଣାଣି ପାଇଁ ସ୍ବତନ୍ତ୍ର ଭାବେ ବସିଥିଲା। ଭିଡିଓ କନଫରେନ୍ସିଂ ଜରିଆରେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ ଶୁଣାଣିରେ ଯୋଗ ଦେଇଥିଲେ। ସେ କହିଥିଲେ ଜ୍ୟୋତିଷ ଶାସ୍ତ୍ର ଏକ ବିଜ୍ଞାନ, କିନ୍ତୁ କୋର୍ଟର ଶୁଣାଣିରେ ଏହାର ରିପୋର୍ଟ ମାଗିବା ଠିକ ନୁହେଁ। ଏହା ଉପରେ ବିଚାରପତିମାନେ ମଧ୍ୟ କହିଛନ୍ତି ସେମାନେ ଜ୍ୟୋତିଷ ଶାସ୍ତ୍ର ଉପରେ ପ୍ରଶ୍ନ କରୁନାହାଁନ୍ତି, କିନ୍ତୁ କୋର୍ଟ ମାମଲାରେ ଏହାର କୌଣସି ଭୂମିକା ନାହିଁ।

 

Share