୨୦ ମିନିଟ୍‌ରେ ସମସ୍ୟା କହିଲେ ତାରା

ଭୁବନେଶ୍ବର, ୧୬ା୬(ସୁନିତ୍‌ ମିଶ୍ର): ଦିନକୁ ଦିନ କୋରାପୁଟ କଂଗ୍ରେସରେ ବିବାଦ ଉଗ୍ରରୂପ ଧାରଣ କରୁଛି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସ୍ତ୍ରୀ ମୀନାକ୍ଷୀ ବାହିନୀପତିଙ୍କୁ ଜିଲା ସଭାପତି ପଦରୁ ବିଦା କରାଯିବା ପରେ ବିବାଦ ବଢ଼ିବାରେ ଲାଗିଛି। କିଛିଦିନ ତଳେ ତାରା ଓ ସପ୍ତଗିରିଙ୍କ ସମର୍ଥକ ପୃଥକ୍‌ ପୃଥକ୍‌ ଭାବେ ଭୁବନେଶ୍ୱର ଆସି ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ପିସିସି ସଭାପତି ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରି କୋରାପୁଟ ପଠାଇ ଦେଇଛନ୍ତି। ଏବେ କଳି ଦିଲ୍ଲୀରେ ପହଞ୍ଚିସାରିଛି। ତାରା ତାଙ୍କ ସମର୍ଥକଙ୍କ ସହ ଯାଇ ନୂଆଦିଲ୍ଲୀରେ ଡେରା ପକାଇଛନ୍ତି। ତେବେ ଗୁରୁବାର ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କୁ ତାରାପ୍ରସାଦ ଭେଟିଛନ୍ତି। ନୂଆଦିଲ୍ଲୀସ୍ଥିତ ଏଆଇସିସି ମୁଖ୍ୟାଳୟରେ ସେ ନିଜ ସମର୍ଥକମାନଙ୍କ ସହ ଯାଇ ବେଣୁଗୋପାଳଙ୍କୁ ସାକ୍ଷାତ କରିଛନ୍ତି। ତେବେ ତାରା ୨୦ ମିନିଟ୍‌ ଧରି ବେଣୁଗୋପାଳଙ୍କୁ କୋରାପୁଟ ଜିଲା ରାଜନୀତିରେ ଦେଖାଇଥିବା ସମସ୍ୟା ସମ୍ପର୍କରେ କହିବା ସହିତ ଜାଣିଶୁଣି ମୀନାକ୍ଷୀଙ୍କୁ ତାଙ୍କ ପଦରୁ ହଟାଯାଇଥିବା ଜଣାଇଛନ୍ତି। ତାରାଙ୍କ ସାଙ୍ଗରେ କୋରାପୁଟ ଜିଲାର ବହୁ କଂଗ୍ରେସ ନେତା ଯେପରିକି ମ୍ୟୁନିସିପାଲିଟି ଚେୟାରମ୍ୟାନଙ୍କଠାରୁ ଆରମ୍ଭକରି ଅନେକେ ଯାଇଥିଲେ। ଦିଲ୍ଲୀରେ ଉପସ୍ଥିତ ଜଣେ ଓଡ଼ିଆ ନେତାଙ୍କ ସୂଚନା ଅନୁସାରେ ତାରା ସେଠାରେ କହିଥିଲେ, ଗତ ସାଧାରଣ ନିର୍ବାଚନରେ ଗୁଣପୁର, ରାୟଗଡ଼ା ଏବଂ ବିଷମକଟକରେ କଂଗ୍ରେସ ଏମ୍‌ପି ୨୫୦୦ ଭୋଟ ପଛୁଆ ଥିଲେ। ହେଲେ କୋରାପୁଟରେ ତାଙ୍କୁ ୫୦୦୦ ଭୋଟ ଅଧିକ ମିଳିଥିଲା; ଯେଉଁଥିଲାଗି ସେ ଏମ୍‌ପି ଭାବେ ବିଜୟୀ ହେଲେ। ଏ ପର୍ଯ୍ୟନ୍ତ ରାୟଗଡ଼ାରେ ୧୨ଟି ଜିଲା ପରିଷଦ ଆସନଠାରୁ ଆରମ୍ଭକରି ଅଧ୍ୟକ୍ଷ ପଦ କଂଗ୍ରେସ ହାତରେ ରହିଆସୁଥିଲା। ହେଲେ ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ୬ଟି ଆସନ କମିଗଲା; ଯଦ୍ଦ୍ବାରା ଅଧ୍ୟକ୍ଷ ପଦ ମଧ୍ୟ ଏଥର ବିଜେଡି ହାତକୁ ଚାଲିଗଲା। ଗତ ପଞ୍ଚାୟତ ଭୋଟ ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ ଲଢାଯାଉଥିଲା। ହେଲେ କୋରାପୁଟ ମ୍ୟୁନିସିପାଲିଟି ଭୋଟ୍‌ ବହୁ ମାତ୍ରାରେ ଭଲ ହୋଇଛି। ଏହାପରେ ବି ମୀନାକ୍ଷୀଙ୍କୁ କାହିଁକି ତାଙ୍କ ପଦରୁ ହଟାଗଲା ବୋଲି ତାରା ପ୍ରଶ୍ନ କରିଥିଲେ। ଏସବୁ କଥାକୁ ବେଣୁଗୋପାଳ ଏକ ନୋଟ୍‌ରେ ଲେଖିବା ସହ ଖୁବ୍‌ଶୀଘ୍ର ଏନେଇ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।
ଏହାପରେ ଗଣମାଧ୍ୟମକୁ ସୂଚନା ଦେଇ ତାରା କହିଛନ୍ତି, ଏହା ଏକ ଔପଚାରିକ ସାକ୍ଷାତ ଥିଲା। କାହା ବିରୋଧରେ କିଛି କହିନାହୁଁ। କଂଗ୍ରେସ କିଭଳି କ୍ଷମତାକୁ ଆସିବ, ସେନେଇ ଆଲୋଚନା କରାଯାଇଛି। ତାଙ୍କ ସ୍ତ୍ରୀ ମୀନାକ୍ଷୀ ବାହିନୀପତିଙ୍କୁ ସଭାପତି କରିବା ପାଇଁ ସେ ଆସିନାହାନ୍ତି ବୋଲି ତାରା କହିଛନ୍ତି। କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ସହ ବିବାଦକୁ ନେଇ ତାରା କହିଛନ୍ତି, କିଛି ମନୋମାଳିନ୍ୟ ହୋଇଥାଇପାରେ। କିନ୍ତୁ କଂଗ୍ରେସ ପାଇଁ କାମ କରିବେ ବୋଲି ତାରା କହିଛନ୍ତି।
ସୂଚନାଯୋଗ୍ୟ, ତାରା ଏବଂ ତାଙ୍କ ଗୋଷ୍ଠୀ ଏବେ ବି ଦିଲ୍ଲୀରେ ଡେରା ପକାଇ ଅଛନ୍ତି। ସେମାନେ ସମସ୍ତେ ଏଆଇସିସି ସଭାପତି ମଲିକାର୍ଜୁନ ଖାର୍ଗେଙ୍କୁ ସାକ୍ଷାତ କରିବା ପାଇଁ ଯୋଜନା ରଖିଛନ୍ତି। ଖାର୍ଗେଙ୍କଠାରୁ ସମୟ ନେବା ପାଇଁ ତାରା ତାଙ୍କ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏନେଇ ତାରା ସଭାପତିଙ୍କୁ ଜଣାଇବା ପରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିବାକୁ ଯୋଜନା ରଖିବା ସହିତ ତାଙ୍କୁ ଓଡ଼ିଶା ଗସ୍ତରେ ଆସିବା ଲାଗି ନିମନ୍ତ୍ରଣ କରିବେ ବୋଲି ଜଣାପଡ଼ିଛି। ରାଜ୍ୟ କଂଗ୍ରେସର ଅବସ୍ଥା ଯେପରି ସ୍ଥିତିକୁ ଚାଲିଗଲାଣି ସେକଥା ମଧ୍ୟ ତାଙ୍କୁ ଅବଗତ କରାଇବେ ବୋଲି ସେ କହିଛନ୍ତି।

Share