Categories: ଫୁରସତ

ଆଗ୍ରହ ଆଗରେ ହାର୍‌ ମାନିଛି ସମସ୍ୟା

ଲକ୍ଷ୍ନୌ: ବୁର୍ଖାପିନ୍ଧା ମହିଳା କାନ୍ଧରେ ସ୍ବିଗୀ ବ୍ୟାଗ୍‌ ପକେଇ ଚାଲିଚାଲି ଯାଉଥିବାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫଟୋଟିକୁ ଦେଖିଲେ ଯେ କେହି ବି ଭାବିବେ ଯେ, ବୋଧହୁଏ ମହିଳା ଜଣକ ସ୍ବିଗୀର ଜଣେ ଡେଲିଭରି ଏଜେଣ୍ଟ। କିନ୍ତୁ ମହିଳାଜଣକ ପ୍ରକୃତରେ ଜଣେ ଗୃହସହାୟିକା। ଘର ଘର ବୁଲି ୪୦ ବର୍ଷୀୟା ରିଜଓ୍ବାନା କାମ କରନ୍ତି। ସ୍ବାମୀ ଘରଛାଡ଼ି ଚାଲିଯିବା ପରେ ପିଲାଙ୍କ ଦାୟିତ୍ୱ ରିଜଓ୍ବାନାଙ୍କ କାନ୍ଧକୁ ଆସିଥିଲା। ତାଙ୍କ ୪ ପିଲାଙ୍କ ଦାୟିତ୍ୱ ରିଜଓ୍ବାନା ନେଇଛନ୍ତି।
ସକାଳ ସଞ୍ଜେ ଘରଘର ବୁଲି କାମ କରି ମାସକୁ ତାଙ୍କର ୧,୫୦୦ ଟଙ୍କା ରୋଜଗାର ହୋଇଯାଉଥିବାବେଳେ ବଜାରରେ ଏକ ଛୋଟ ଷ୍ଟଲ ଖୋଲି ସେଥିରେ ଡିସ୍‌ପୋଜେବୁଲ ଗ୍ଲାସ୍‌ ସାଙ୍ଗକୁ ପୋଷାକ ବିକ୍ରି କରନ୍ତି, ଯେଉଁଥିରୁ ତାଙ୍କର ୫୦୦୦ରୁ ୬୦୦୦ ଆୟ ହେଉଛି ବୋଲି ସେ କୁହନ୍ତି। ଜନତା ନଗର କଲୋନୀରେ ରହୁଥିବା ରିଜଓ୍ବାନା ଦୈନିକ ୨୦ରୁ ୨୫ କି.ମି. ବାଟ ଚାଲିଚାଲି କାମ କରିବାକୁ ଯାଉଥିବା କୁହନ୍ତି। ରିଜଓ୍ବାନାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା କଥା ତାଙ୍କୁ ଜଣେ ଦୋକାନୀ କହିଥିଲେ। ଏହାପରେ କେତେଜଣ ତାଙ୍କୁ ଭେଟିବା ପାଇଁ ଆସିଥିଲେ, ଯାହାଙ୍କୁ ସେ ସ୍ବିଗୀ ବ୍ୟାଗ୍‌ କାନ୍ଧରେ ପକାଇବାର କାରଣ କହିଥିଲେ। ଡିସ୍‌ପୋଜେବୁଲ ଗ୍ଲାସ୍‌ ଓ ଦୋକାନ ଜିନିଷ ରଖିବା ଲାଗି ତାଙ୍କୁ ଏକ ମଜଭୁତ ବ୍ୟାଗ୍‌ର ଆବଶ୍ୟକ ହେଉଥିଲା। ଦିନେ କାମରୁ ଫେରିବା ବାଟରେ ଜଣେ ଲୋକ ଏହି ବ୍ୟାଗ୍‌କୁ ୫୦ ଟଙ୍କାରେ ତାଙ୍କୁ ବିକିଥିବା ସେ କହିଛନ୍ତି। ସ୍ବିଗୀ ବ୍ୟାଗ୍‌ରେ ଜିନିଷ ସୁରକ୍ଷିତ ଭାବେ ରହୁଥିବା ଯୋଗୁ ସେ ଏହାକୁ ବ୍ୟବହାର କରୁଥିବା କହନ୍ତି। ତେବେ ରିଜଓ୍ବାନାଙ୍କ ଅସୁବିଧା ବିଷୟରେ ଜାଣିବା ପରେ ଅନେକେ ଏବେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ରିଜଓ୍ବାନାଙ୍କ ବୟସ ବଢ଼ୁଥିଲେ ବି କାମ କରିବାର ଆଗ୍ରହ ତାଙ୍କର ରହିଛି। ପାଖରେ ଗାଡ଼ି ଥିଲେ ସେ ସ୍ବିଗୀରେ କାମ କରନ୍ତେ ବୋଲି କହିଛନ୍ତି।

Share