ଦୋକାନ ଯୋଗୁ ଉପୁଜୁଛି ସମସ୍ୟା

ରାଉରକେଲା ଅଫିସ,୧୧।୨: ପୋନପୋଷ ସବ୍‌ ପୋଷ୍ଟ ଅଫିସ ରାଉରକେଲାର ସର୍ବପୁରାତନ ପୋଷ୍ଟ ଅଫିସ। ଏଠାରେ ପୋଷ୍ଟାଲ କାମ ସହ ନୂତନ ଆଧାର କାର୍ଡ, ଆଧାର କାର୍ଡ ସଂଶୋଧନ ଏବଂ ପୋଷ୍ଟାଲ ବ୍ୟାଙ୍କର ସମସ୍ତ କାର୍ଯ୍ୟ କରାଯାଉଛି। ମାତ୍ର ପୋଷ୍ଟ ଅଫିସ ସମ୍ମୁଖରେ କିଛି ବ୍ୟବସାୟୀ ଦୋକାନ ଖୋଲିଥିବାରୁ ଏଠାରେ ପୋଷ୍ଟ ଅଫିସ ଥିବା ଭଳି ଜଣାପଡୁନାହିଁ। ସେହିପରି ଏଠାକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଜନସାଧାରଣଙ୍କ ସାଇକେଲ, ଗାଡିମୋଟର ଆଦି ରଖିବା ପାଇଁ ଅସୁବିଧା ହେଉଛି। ହକି ବିଶ୍ୱକପ୍‌ ପୂର୍ବରୁ ଏହିସବୁ ଦୋକାନକୁ ଆର୍‌ଏମ୍‌ସି ତରଫରୁ ଉଠାଇ ଦିଆଯାଇଥିଲା। ମାତ୍ର ଖେଳ ସରିବା ପରେ ପୁନଶ୍ଚ ଦୋକାନୀମାନେ ପୋଷ୍ଟ ଅଫିସ ସମ୍ମୁଖରେ ପସରା ମେଲାଇ ଦେଇଛନ୍ତି। ଫଳରେ ପୋଷ୍ଟ ଅଫିସର କର୍ମଚାରୀ ଓ ସାଧାରଣ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ପାନପୋଷ ସବ୍‌ପୋଷ୍ଟ ଅଫିସ ସମ୍ମୁଖରୁ ଦୋକାନଗୁଡିକୁ ଉଚ୍ଛେଦ କରିବାକୁ ଜନସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ପାନପୋଷ ସବ୍‌ ପୋଷ୍ଟ ଅଫିସ୍‌ର ପୋଷ୍ଟମାଷ୍ଟର ମୃତ୍ୟୁଞ୍ଜୟ ବାରିକଙ୍କୁ ପଚାରିବାରୁ ସେ କହିଲେ, ଦୋକାନୀଙ୍କ ପାଇଁ ବିବିଧ ସମସ୍ୟା ହେଉଛି। ପାର୍କିଂ ସମସ୍ୟା ଯୋଗୁ ଲୋକେ ଏଠାକୁ ଆସିବା ବନ୍ଦ କରିଦେଲେଣି। ଆମେ ଆର୍‌ଏମ୍‌ସିକୁ ଏ ବିଷୟରେ ଜଣାଇଛୁ। ତୁରନ୍ତ ଦୋକାନ ଉଠା ନ ଗଲେ ଆମେ ଆଇନ୍‌ର ଆଶ୍ରୟ ନେବୁ ବୋଲି ବାରିକ କହିଥିଲେ।

Share