ସୁନାବେଡ଼ା, ୧୦ା୩(ସ୍ବ. ପ୍ର.) ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ମାତ୍ର ଏଥିରୁ ଲୋକେ ଉପକୃତ ହେଉ ନ ଥିବା ଅଭିଯୋଗ ହେଉଛି। ସୁନାବେଡ଼ା ୮ନଂ. ୱାର୍ଡ ଏଇଏଫ୍ ମାର୍କେଟ ନିକଟସ୍ଥ ଡ୍ରାଇଭର କଲୋନିରେ ସୁଧୁରୁନି ସମସ୍ୟା। କଲୋନିର ଆରମ୍ଭରେ ରହୁଥିବା ଦୁଇଟି ପରିବାର ଦୁଃଖ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି। ଗୋଟିଏ ପରିବାର ଜରିପାଲ ତଳେ ଦିନ କାଟୁଥିବା ବେଳେ ଅନ୍ୟ ଏକ ପରିବାର ନିଜଘର ବଦଳରେ ଅନ୍ୟ ଜଣଙ୍କ ବାରଣ୍ଡାରେ ଜୀବନ ବିତାଉଛନ୍ତି। ସେମାନଙ୍କ ସମ୍ପର୍କରେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ମଧ୍ୟ କିଛି ସୁଫଳ ମିଳିନାହିଁ। ସେହିପରି ୭ ଓ ୮ ନମ୍ବର ୱାର୍ଡରେ କିଛି ବର୍ଷ ତଳେ ଭୂମିହୀନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ବଣ୍ଟାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ହିତାଧିକାରୀ ଜାଗାର ପଟ୍ଟା ପାଇନାହାନ୍ତି। ୱାର୍ଡବାସୀଙ୍କ ଅଭିଯୋଗ ଅନୁସାରେ ଏଠାରେ ୨୦୧୨-୧୩ ବର୍ଷରେ ପ୍ରାୟ ୮ ଲକ୍ଷ ଟଙ୍କା ବ୍ୟୟରେ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା। ତାହା ଏପର୍ଯ୍ୟନ୍ତ ଲୋକଙ୍କ କାମରେ ଲାଗିପାରିନାହିଁ। ପରେ ୨୦୧୮ରେ ଏହାର ମରାମତି ବାବଦରେ ପୁଣି ୩ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ଅଥଚ ଏଯାଏ ଶୌଚାଳୟ ତାଲା ଖୋଲାଯାଇପାରିଲା ନାହିଁ। କଲୋନିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମଧ୍ୟ ଖାଲଖମାରେ ପରିପୂର୍ଣ୍ଣ ହୋଇ ରହିଛି। ୭ନଂ. ୱାର୍ଡ ରାଜୀବ କଲୋନିଠାରୁ ହାଉସିଂ ବୋର୍ଡ ରାସ୍ତା ଅବସ୍ଥା ଶୋଚନୀୟ। ୨୦୧୬ରୁ ଏପର୍ଯ୍ୟନ୍ତ ଏହି ୧କି.ମି. ମାଟି ରାସ୍ତା ପକ୍କାରାସ୍ତା ହୋଇପାରିନାହିଁ। ପାନୀୟ ଜଳ ଲାଗି ବିଛାଯାଇଥିବା ପାଇପ୍କୁ ବର୍ଷାପାଣି ନିଷ୍କାସନ ଡ୍ରେନ୍ ମଧ୍ୟ ଦେଇ ଯାଇଥିବାରୁ ପାଇପ୍ ଫାଟି ଆବର୍ଜନା ପାଣି ମିଶୁଛି। ସେହିପରି ଦାସ କଲୋନି ତଳିଆ ଅଞ୍ଚଳ ହୋଇଥିବାରୁ ବର୍ଷାଦିନେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇଥାଏ। ଉକ୍ତ ଅଞ୍ଚଳରେ ରହୁଥିବା ୨୦ରୁ ଊର୍ଦ୍ଧ୍ୱ ପରିବାର ଦୁର୍ଦ୍ଦଶାରେ ଦିନ କାଟିଥାନ୍ତି। ରାସ୍ତାକଡ଼ରେ ଡ୍ରେନ୍ ନିର୍ମାଣ ପାଇଁ ଅଞ୍ଚଳବାସୀ ପୌର ପ୍ରଶାସନଠାରୁ ଜନ ପ୍ରତିନିଧିଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାହା ଏଯାଏ ହୋଇପାରିନାହିଁ। ୮ ନଂ. ୱାର୍ଡର ପ୍ରତିନିଧି ଅଶୋକ ମାଝି ପ୍ରଶାସନକୁ ଏନେଇ ଜଣାଇଥିଲେ ମଧ୍ୟ ପ୍ରଶାସନର ଉଦାସୀନତା ଲୋକଙ୍କ ସମସ୍ୟା ସମାଧାନ କରିପାରିନାହିଁ।