‘ଉପୁଜୁଥିବା ସମସ୍ୟା ଦୂର ହେବ’

ସମ୍ବଲପୁର,୨୬।୧୦(ବ୍ୟୁରୋ):  ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍‌ଓୟୁ)ର ନୂତନ କୋଠା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଡିସେମ୍ବର ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇ ଜାନୁୟାରୀ ମାସରେ କାର୍ଯ୍ୟକ୍ଷମ ହେବା ଲକ୍ଷ୍ୟ ରହିଛି। ନୂତନ କୋଠାରେ ଅଫିସ ପରିଚାଳନା କାର୍ଯ୍ୟ ହେଲେ ଉପୁଜୁଥିବା ବିଭିନ୍ନ ସମସ୍ୟା ଦୂର ହୋଇଯିବ ବୋଲି ଓଏସ୍‌ଓୟୁ କୁଳପତି ଅର୍କକେଶରୀ ଦାସ ମହାପାତ୍ର ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି, ସରକାର ବସନ୍ତପୁର ନିକଟରେ ୪୦ ଏକର ଜମି ଯୋଗାଇ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨ ଏକର ଜମିରେ କୋଠା ଓ ବାଉଣ୍ଡରି କାନ୍ଥ ନିର୍ମାଣ କାମ ହୋଇଛି। ବାଉଣ୍ଡରି କାନ୍ଥ କାମ ଶେଷ ହୋଇଥିବାବେଳେ କୋଠାରେ ବିଦ୍ୟୁତ୍‌ ଉପକରଣ ଲଗାଇବା ଓ ଫିନିଶିଂ କାମ କିଛି ବାକି ରହିଛି। ଗୋଟିଏ ମାସରେ କାମ ଶେଷ ହୋଇଯିବା ଲକ୍ଷ୍ୟ ରହିଛି। ନୂତନ ଶିକ୍ଷାବର୍ଷରୁ ନୂଆ କୋଠାରେ ଅଫିସ ପରିଚାଳନା କରାଯିବ। ଏବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ପବ୍ଲିକ ଲାଇବ୍ରେରି ଓ ଶାନ୍ତିନଗରସ୍ଥିତ ୨ ଗୋଟି ଭଡାଘରେ ଅନୁଷ୍ଠାନ ଚାଲୁଛି। ନୂତନ କୋଠା ହୋଇଗଲେ ଗୋଟିଏ ସ୍ଥାନରେ ଅଫିସ କାମ ସହ ଅନ୍ୟାନ୍ୟ କାମ କରିବାକୁ ସୁବିଧା ହେବ। ଅଭିଭାବକ ଓ ଛାତ୍ରୀଛାତ୍ର ଏହା ଦ୍ୱାରା ଉପକୃତ ହୋଇପାରିବେ। ପର୍ଯ୍ୟାୟକ୍ରମେ ଓଏସ୍‌ଓୟୁର କୋଠା ନିର୍ମାଣ କରାଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ୨୦୧୫ରୁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଖୋଲାଯାଇଛି। ଏବେ ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ଏହାର ଶାଖା ଖୋଲାଯାଇଥିବା ବେଳେ ସମ୍ବଲପୁର ଜିଲାରେ ମୁଖ୍ୟାଳୟ ରହିଛି। ନିଜସ୍ବ କୋଠା ନ ଥିବାରୁ ବହୁ ସମସ୍ୟା ହେଉଥିଲା। ପରେ ରାଜ୍ୟ ସରକାର ଜମି ଯୋଗାଇ ଦେଇଥିଲେ। ପୋଲିସ ହାଉସିଂ ବୋର୍ଡ ପକ୍ଷରୁ ଏଥିପାଇଁ ପ୍ରାୟ ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ କୋଠା ନିର୍ମାଣ କାମ ଆରମ୍ଭ ହୋଇଥିଲା। ପ୍ରାୟ ୨ବର୍ଷ ତଳେ କାମ ଆରମ୍ଭ ହୋଇଥିଲା। ଚଳିତ ଶିକ୍ଷାବର୍ଷରେ ୨୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନାମ ଲେଖାଇ ସାରିଛନ୍ତି। ପ୍ରଥମେ ହାତଗଣତି କେତେକ ପାଠ୍ୟକ୍ରମରୁ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇଥିଲା। ଏବେ ୧୩ ପିଜି ପାଠ୍ୟକ୍ରମ,୧୧ ୟୁଜି ପାଠ୍ୟକ୍ରମ ସହ ୪ ଗୋଟି ବିଷୟରେ ଡିପ୍ଲୋମା ରହିଛି। ଚାକିରି କରୁଥିବା ଯୁବତୀଯୁବକଙ୍କ ପଦୋନ୍ନତି ପାଇଁ ମଧ୍ୟ ଏଠାରେ ପାଠ ପଢିବାର ସୁଯୋଗ ରହିଛି। ଏପରି କି ଜେଲରେ ସଜା କାଟୁଥିବା କଏଦୀମାନଙ୍କୁ ମଧ୍ୟ ଓଏସ୍‌ଓୟୁ ପକ୍ଷରୁ ଶିକ୍ଷାଦାନ କରାଯାଉଛି। ବେକାର ଓ ରୋଜଗାରକ୍ଷମ ଯୁବତୀଯୁବକଙ୍କୁ ଉଚ୍ଚ ଶିକ୍ଷିତ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ଓଏସ୍‌ଓୟୁ।