ଭୁବନେଶ୍ୱର,୨ା୧୨(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉଚ୍ଚମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଚଳିତବର୍ଷ ୨୩ଟି ସ୍ପେଶାଲିଷ୍ଟ ବିଭାଗରେ ୨୪୯ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେଇଛନ୍ତି। ଏମାନଙ୍କୁ ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନିୟୋଜିତ କରାଯାଇଛି। ଏଥିସହ ଆଉ ୨୭୪ ସହକାରୀ ପ୍ରଫେସର ପଦବୀ ପୂରଣ ନିମନ୍ତେ ପଦକ୍ଷେପ ନିଆଯାଉଛି। ଇତି ମଧ୍ୟରେ ଚୟନ ପ୍ରକ୍ରିୟା ତ୍ୱରାନ୍ବିତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି। ଏହି ୨୭୪ଜଣ ସ୍ପେଶାଲିଷ୍ଟ ମୁଖ୍ୟତଃ ନିଶ୍ଚେତକ, ଆନାଟୋମି, ବାୟୋ-କେମେଷ୍ଟ୍ରି, ଇଏନ୍ଟି, ଏଫ୍ଏମ୍ ଆଣ୍ଡ୍ ଟି, ମେଡିସିନ୍, ମାଇକ୍ରୋ-ବାୟୋଲୋଜି, ସ୍ତ୍ରୀ ଓ ପ୍ରସୂତି, ଚକ୍ଷୁ, ଅସ୍ଥିଶଲ୍ୟ ସର୍ଜରି, ଶିଶୁ ଚିକିତ୍ସା, ପାଥୋଲୋଜି, ଫାର୍ମାକୋଲୋଜି, ଫିଜିଓଲୋଜି, ମାନସିକ ବିକାରଗ୍ରସ୍ତ, ରେଡିଓ-ଡାଇଗ୍ନୋସିସ୍, କମ୍ୟୁନିଟି ମେଡିସିନ୍, ଚର୍ମ ଓ ଭିଡି, ସର୍ଜରି, ଯକ୍ଷ୍ମା, ଜରୁରିକାଳୀନ ମେଡିସିନ୍, ଫିଜିକାଲ ମେଡିସିନ୍ ଏବଂ ପୁନଃସ୍ଥାପନ ଆଦି ବିଭାଗରେ ନିୟୋଜିତ ହେବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।