ପରୀ ହତ୍ୟାକାଣ୍ଡ: ପୋଖରୀରୁ ପ୍ରମାଣ ଖୋଜୁଛି ଏସ୍‌ଆଇଟି, ନିଷ୍କାସନ ହେଉଛି ପାଣି

ନୟାଗଡ଼ ଅଫିସ, ୨୨।୧୨: ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟାକାଣ୍ଡ ମାମଲାରେ ଏସ୍‌ଆଇଟି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ତାଙ୍କ ଗାଁ ଯଦୁପୁରରେ ଥିବା ଏକ ପୋଖରୀରୁ ମଙ୍ଗଳବାର ସକାଳୁ ଜଳ ନିଷ୍କାସନ କରାଯାଉଛି। ଅଧିକ ପ୍ରମାଣ ଲାଗି ପୋଖରୀରୁ ଜଳ ନିଷ୍କାସନ କରାଯାଉଥିବା ଜଣାପଡ଼ିଛି। ଏସଆଇଟି ଅଧିକାରୀଙ୍କ ଉପସ୍ଥିତିରେ ଏହି କାମ ଚାଲିଛି।
ସୋମବାର ନୟାଗଡ଼ ସଦର ଥାନା ପୋଲିସ ଏହି ପୋଖରୀ ଅଞ୍ଚଳ ବୁଲି ଦେଖିଯିବା ପରେ ଏହାକୁ ଶୁଖାଯିବ ବୋଲି ଜଣାପଡ଼ିଥିଲା। ତେବେ ଏ ନେଇ ଆନୁଷ୍ଠାନିକ ଭାବେ କିଛି ସୂଚନା ଦିଆଯାଇ ନଥିଲା। ସୂଚନାଯୋଗ୍ୟ, ଏହି ପୋଖରୀ ନିକଟରୁ ‘ପରୀ’ର କିଛି ଦେହାବଶେଷ ମିଳିଥିଲା।
ସୂଚନାନୁସାରେ, ନୟାଗଡ ଯଦୁପୁରର ୫ ବର୍ଷୀୟା ଶିଶୁ କନ୍ୟା ପରୀର ମୃତ୍ୟୁକୁ ୬ ମାସ ବିତିଲାଣି । ଏହି ଘଟଣାର ତଦନ୍ତ ଏବେ କ୍ରାଇମ ବ୍ରାଞ୍ଚ ଏସ୍‌ଆଇଟି କରୁଛି। ଘଟଣାରେ ଜଣେ ଅଭିଯୁକ୍ତକୁ ମଧ୍ୟ ରବିବାର ଗିରଫ କରାଯାଇଛି । ଏହା ମଧ୍ୟରେ ତଦନ୍ତକୁ ଆହୁରି ତ୍ୱରାନ୍ବିତ କରିବାକୁ ପୋଖରୀ ଶୁଖାଯିବ । କାରଣ ପରୀ ଘରର ବାଡିପଟେ ରହିଛି ଏହି ପୋଖରୀ । ଏହା ନିକଟରୁ ପରୀର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା ।

Share