ଘଣ୍ଟ, ସଂକୀର୍ତ୍ତନରେ ବଜରଙ୍ଗ ଦଳର ଶୋଭାଯାତ୍ରା

ହିଞ୍ଜିଳିକାଟୁ,୩୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବଜରଙ୍ଗ ଦଳ ପକ୍ଷରୁ ଗୁରୁବାର ରାମନବମୀ ସମାରୋହ ଏବଂ ଶୋଭାଯାତ୍ରା ପାଳିତ ହୋଇଯାଇଛି । ଏହି ଅବସରରେ ହିଞ୍ଜିଳିକାଟୁ ରେଗିଡିସାହି ଚାରିଛଖ ହନୁମାନ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଅପରାହ୍ନରେ ବଜରଙ୍ଗ ଦଳର ଶତାଧିକ କର୍ମୀ ହାତରେ ଗୈରିକ ପତକା ଧରି ଘଣ୍ଟ, ସଂକୀର୍ତ୍ତନରେ ବସ୍‌ଷ୍ଟାଣ୍ଡରୁ ଏକ ଶୋଭାଯାତ୍ରା ବାହାରି ୫୯ ନମ୍ବର ଜାତୀୟ ରାଜପଥ ମୁଖ୍ୟ ବଜାର ଦେଇ ବଇଁଚବଣିଆ ଯାଇଥିଲେ। ସେଠାରୁ ଶୋଭାଯାତ୍ରା ଆଙ୍କୋରଡା, ଥାନାସାହି, ହିଞ୍ଜିଳି, ବ୍ଳକ କଲୋନୀ ଦେଇ ପୁଣି ହନୁମାନ ମନ୍ଦିରରେ ପହଞ୍ଚିଥିଲା। ଏପରିକି ସୁସଜ୍ଜିତ ରଥରେ ରାମ, ଲକ୍ଷ୍ମଣ, ସୀତା, ହନୁମାନ ବେଶଧାରୀଙ୍କୁ ରାସ୍ତାରେ ଲୋକ ସ୍ବାଗତ ଓ ବନ୍ଦାପନା କରିଥିଲେ। ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦର ଆଲୋକ ନାୟକ, କଳିଙ୍ଗ ମୁନି, ଭାଜପା ନେତା ଶିଶିର ମିଶ୍ର, ମାଧବ ଗୌଡ, ସନ୍ତୋଷ କୁମାର ପାଣିଗ୍ରାହୀ, ରଜନୀକାନ୍ତ ପାଢୀ, ନୟନ ମଳିକ, ଗିରିଧର ପାଢୀ, ପି. ଅନ୍ତର୍ଯ୍ୟାମୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ହିଞ୍ଜିଳିକାଟୁ ବ୍ଲକର ଶିକିରି, କଞ୍ଚୁରୁ ପୌରପରିଷଦ ଆଙ୍କୋରଡା ଓ ରାଜବାଟୀ ହନୁମାନ ମନ୍ଦିର, ହିଞ୍ଜିଳି ରଘୁନାଥ ମନ୍ଦିର, ରାହୀ ପାହାଡ଼ ହନୁମାନ ମନ୍ଦିରରେ ପବିତ୍ର ରାମନବମୀ ଆନନ୍ଦ ଉତ୍ସାହର ସହ ପାଳିତ ହୋଇଯାଇଛି।

 

Share