ଭୁବନେଶ୍ବର,୧୬ା୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ସମୟରେ ମଙ୍ଗଳବାର ତରବରିଆ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସବ୍ସିଡି ଘୋଷଣା କରିଛନ୍ତି, ଏହା ପ୍ରଚାର ସର୍ବସ୍ବ। ସରକାରଙ୍କ ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି। ଜୟନାରାୟଣ ଟୁଇଟ୍ କରି କହିଛନ୍ତି, ସୋମବାର ବରଗଡ଼ ଜିଲା ପଦ୍ମପୁରଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଦୋଳନରତ ଚାଷୀଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନାକରି ଦିଲ୍ଲୀ ଫେରିଯାଇଥିଲେ। ସେ ମଙ୍ଗଳବାର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଭେଟି ପଦ୍ମପୁର ସହିତ ଓଡ଼ିଶାର ଚାଷୀଙ୍କ ଫସଲ ବୀମା ଓ ଚାଷୀମାନଙ୍କ ସମସ୍ୟା ବିଷୟରେ ଅବଗତ କରାଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ କୃଷିମନ୍ତ୍ରୀ ଓଡ଼ିଶାର ଚାଷୀଙ୍କ ପ୍ରତି ପ୍ରତିବଦ୍ଧତା କଥା ଦର୍ଶାଇଛନ୍ତି, ଯାହାକି ମୁଖ୍ୟମନ୍ତ୍ରୀଙ୍କୁ ବିଚଳିତ କରିଥିଲା। ତରବରିଆ ଭାବେ ସରକାର ଇନ୍ପୁଟ୍ ସବ୍ସିଡି ଘୋଷଣା କରିଛନ୍ତି, ଯାହା ପ୍ରଚାର ସର୍ବସ୍ବ। ସରକାର ଆଉ ଏକ ମିଛ ପ୍ରହେଳିକାର ପୁନରାବୃତ୍ତି କରିବା ଭଳି ମନେହେଉଛି ବୋଲି ସେ କହିଛନ୍ତି।