ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ପ୍ରଯୋଜକ ରବିନ୍ଦ୍ର ଚନ୍ଦ୍ରସେକରନଙ୍କ ବିବାହ ଏବେ ଚର୍ଚ୍ଚାରେ। ସେ ଗୁରୁବାର ଅଭିନେତ୍ରୀ ତଥା ଭିଜେ ମହାଲକ୍ଷ୍ମୀଙ୍କ ହାତ ଧରିଛନ୍ତି। ଉଭୟଙ୍କର ଏହା ଦ୍ୱିତୀୟ ବିବାହ। ଏଥିରେ ପରିବାରଲୋକଙ୍କ ସହ କିଛି ବନ୍ଧୁ ସାମିଲ ହୋଇଛନ୍ତି। ଏହାର କିଛି ଫଟୋ ମହାଲକ୍ଷ୍ମୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଛନ୍ତି। ସେ କହିଛନ୍ତି, ମୁଁ ବହୁତ ଭାଗ୍ୟଶାଳୀ ଯେ ଆପଣ ମୋ ଜୀବନରେ ଆସିଲେ। ଆପଣଙ୍କ ଭଲପାଇବା ମୋ ଜୀବନରେ ଭିନ୍ନ ରଙ୍ଗ ଭରିଛି। ମୋ ତରଫରୁ ଆପଣଙ୍କୁ ବହୁତ ଭଲପାଇବା ଏବଂ ନୂଆ ଆରମ୍ଭ ଲାଗି ଶୁଭକାମନା। ଏବେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଫଟୋ ଦେଖି କିଛି ଲୋକ ତାଙ୍କୁ ଶୁଭେଚ୍ଛା ଜଣାଉଥିବା ବେଳେ କିଛି ଟ୍ରୋଲ କରୁଥିବା ଦେଖାଯାଇଛି। ରବିନ୍ଦ୍ରଙ୍କ ମୋଟାପଣକୁ ନେଇ ତାଙ୍କୁ କଟାକ୍ଷ କରାଯାଉଛି। ହେଲେ ନବ ବିବାହିତ ଦମ୍ପତି ବିବାହକୁ ନେଇ ବେଶ ଖୁସି ଅଛନ୍ତି। ଫଟୋରେ ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି।