ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌ ଉତ୍ପାଦନ ଆରମ୍ଭ

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଇନ୍‌ଫୋସିଟିଠାରେ କୋଭିଡ୍‌-୧୯ ପରୀକ୍ଷା ଲାଗି ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌ ଉତ୍ପାଦନର ଶୁଭାରମ୍ଭ କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଯେକୌଣସି ଅଞ୍ଚଳରେ ଏହି କିଟ୍‌ ପହଞ୍ଚତ୍ ପାରିବ। ରାଜ୍ୟର ଜରୁରୀ ଆବଶ୍ୟକତାକୁ ଏହା ପୂରଣ କରିପାରିବ। ଓଡ଼ିଶାସ୍ଥିତ ବାୟୋଟେକ୍‌ କମ୍ପାନୀ ‘ଇମେଜେନେକ୍ସ ଇଣ୍ଡିଆ’ ଏହି ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ ପ୍ରସ୍ତୁତ କରିବ। ପୂର୍ବ ଭାରତରେ ଏହା ପ୍ରଥମ ସ୍ବଦେଶୀ କିଟ୍‌। ଏଥିପାଇଁ ଜୁନ୍‌ ୨୦୨୧ରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଆର୍‌ଏମ୍‌ଆର୍‌ସି ପକ୍ଷରୁ ଏଥିପାଇଁ ବୈଷୟିକ ସହାୟତା ଯୋଗାଇଦିଆଯିବା ସହ କିଟ୍‌ ଟେଷ୍ଟିଂ କରାଯାଇଥିଲା। ଏହି କିଟ୍‌କୁ ଆଇସିଏମ୍‌ଆର୍‌ ଅନୁମୋଦନ କରିଛି। ଗୋଟିଏ କିଟ୍‌ର ମୂଲ୍ୟ ୫୦ ଟଙ୍କା ରହିବ। ବଜାରରେ ମିଳୁଥିବା ଅନ୍ୟ ଟେଷ୍ଟ କିଟ୍‌ଠାରୁ ଏହା ଶସ୍ତା। ଏଥିସହ ୧୫ ମିନିଟ୍‌ରେ ଟେଷ୍ଟିଂ ଫଳାଫଳ ଆସିଯିବ। ଗୋଟିଏ ବାକ୍ସରେ ୨୫ଟି କିଟ୍‌ ରହୁଛି। ଓଡ଼ିଶା ବାହାରକୁ ମଧ୍ୟ ଏହାଠୁ ପଠାଇବାକୁ ଲକ୍ଷ୍ୟ ରଖିଛି ଇମେଜେନେକ୍ସ ଇଣ୍ଡିଆ। ୨୦୦୪ରେ ଭୁବନେଶ୍ବରରେ ଇମେଜେନେକ୍ସ ପ୍ରତିଷ୍ଠା ହୋଇଥିଲା। ଏହାର ଅଧ୍ୟକ୍ଷ ସୁଜୟ ସିଂ ପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

Share