ବାସୁଦେବପୁର,୧୭।୫(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଏକ ଶିଳ୍ପବିହୀନ ଅଞ୍ଚଳ। ଏଠାକାର ଲୋକେ ମୁଖ୍ୟତଃ କୌଳିକ ବୃତ୍ତିକୁ ଆଧାର କରି ଜୀବନ ଜୀବିକା ନିର୍ବାହ କରିବା ସହ ଆର୍ଥିକ ଅଭିବୃଦ୍ଧି କରିଥାନ୍ତି। ମାତ୍ର ସରକାରୀ ପ୍ରୋତ୍ସାହନ ଅଭାବରୁ ଏଠାରେ ରହୁଥିବା କୁମ୍ଭକାରମାନେ ସେମାନଙ୍କ କୌଳିକ ବୃତ୍ତିଠାରୁ ଦୂରେଇ ଯାଉଛନ୍ତି। ଅତ୍ୟାଧୁନିକତାର ଛାପରେ ଗାଁ ଗହଳିରେ ଥିବା କୁମ୍ଭକାରମାନଙ୍କ ବୃତ୍ତି ଆଉ ବଞ୍ଚତ୍ପାରୁ ନାହିଁ।
ବ୍ଲକର ବଳିବିନ୍ଧା, ବଂଶୀପାଟଣା, ବାଷଠୀ, ମନ୍ଦାରୀ, ବିନାୟକପୁର, ବିରସ, ଗଦି, ଚୁଡ଼ାମଣି, ବେତଡ଼ା ସମେତ ବିଭିନ୍ନ ଗ୍ରାମ ଓ ପଞ୍ଚାୟତରେ ବହୁ ସଂଖ୍ୟାରେ କୁମ୍ଭକାର (କୁମ୍ଭାର) ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ସେମାନେ ବିଶେଷ ଭାବେ ମାଟିରେ ତିଆରି କଳସ, କୁମ୍ଭ, ପାତ୍ର, ତସଲା, ଗରା, ମାଟି ଘୋଡ଼ା, ମାଟି ହାତୀ, ଆଟିକା ଆଦି ବିଭିନ୍ନ ସାମଗ୍ରୀ ତିଆରି କରନ୍ତି। ବର୍ତ୍ତମାନ ଏସବୁ ସାମଗ୍ରୀର ଆଦର ଓ ଆବଶ୍ୟକତା କମି ଆସୁଥିବା ବେଳେ ସରକାରୀ ସ୍ତରରେ କୌଣସି ପ୍ରୋତ୍ସାହନ ମିଳୁ ନ ଥିବାରୁ କୌଳିକ ବୃତ୍ତି ଏବେ ସଂକଟରେ। ମାଟି ସାମଗ୍ରୀ ତିଆରି ପାଇଁ ବହୁ କଳା କୌଶଳର ଆବଶ୍ୟକତା ସାଙ୍ଗକୁ ଅଭିଜ୍ଞତା ହିଁ ଏସବୁ ସାମଗ୍ରୀ ତିଆରି କରିବାରେ ସହାୟକ ହୋଇଥାଏ। ଖରିଦା ବିନାୟକପୁର ପଞ୍ଚାୟତର ବିନାୟକପୁର ହାଟ ନିକଟରେ କରୁଣାକର ବେହେରା ନିଜର କୌଳିକ ବୃତ୍ତିକୁ ଏଯାଏ ଜାବୁଡ଼ି ଧରିଛନ୍ତି। ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରି ରୋଜଗାରକ୍ଷମ ହେବା ସହ ନିଜ ପରିବାର ପ୍ରତିପୋଷଣ କରିଆସୁଛନ୍ତି। ମାତ୍ର ୧୮/୧୯ ବର୍ଷ ବୟସରୁ ନିଜ ପରିବାର ଲୋକଙ୍କଠାରୁ ମାଟି ସାମଗ୍ରୀ ତିଆରି କଳା କୌଶଳ ଶିକ୍ଷା କରି ଦୀର୍ଘ ୪୦ବର୍ଷରୁ ଊର୍ଦ୍ଧ୍ୱ ହେଲା ବୃତ୍ତିକୁ ବଞ୍ଚାଇ ରଖିବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ହେଲେ ସରକାରୀ ପ୍ରୋତ୍ସାହନ ଅଭାବ ପାଇଁ ଏହି ବୃତ୍ତି ଦିନକୁ ଦିନ ହଜିବାକୁ ବସିଛି ବୋଲି ସେ କହିଛନ୍ତି। ସେହିପରି ବଳିବିନ୍ଧା ଗ୍ରାମର ନାରାୟଣ ବେହେରା କହନ୍ତି, ପୂର୍ବରୁ ତାଙ୍କ ବାପା, ବୁଢ଼ାବାପା ଏହି ବୃତ୍ତିକୁ ନିଜର ରୋଜଗାରର ପନ୍ଥା ଭାବେ ଗ୍ରହଣ କରିଥିବା ବେଳେ ଏବେ ଏହି ସାମଗ୍ରୀର ଚାହିଦା କମିଥିବାରୁ ବୁଡ଼ିବାକୁ ଯାଉଛି।