ଭାରତର ଗାର୍ମେଣ୍ଟ ଶିଳ୍ପରେ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ଏସ୍ ସ୍କୋୟାର ମାର୍କେଟିଂ ପ୍ରାଇଭେଟ୍ ଲିମିଟେଡ୍ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ପରିଚିତ। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରରେ ଏହାର ପରିଚାଳନା ନିର୍ଦ୍ଦେଶକ ଶ୍ୟାମସୁନ୍ଦର ସନ୍ଥୋଲିଆ ୧୯୬୧ରେ ଜନ୍ମ ଗ୍ରହଣ କରିଥିଲେ। ଶୈଶବ ସେଠାରେ କଟିଥିଲେ ମଧ୍ୟ ରାଜସ୍ଥାନରେ ଶିକ୍ଷାଲାଭ କରିଛନ୍ତି। କୋଲକାତାରେ ପ୍ରଥମେ ୧୫୦ ଟଙ୍କା ବେତନରେ ଫାବ୍ରିକ ସେକ୍ଟରରେ ଚାକିରି ଜୀବନ ଆରମ୍ଭ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ଉଦ୍ୟୋଗ ଜଗତରେ ପାଦ ଦେଇଥିଲେ। ସମଗ୍ର ଔଦ୍ୟୋଗିକ ଯାତ୍ରା ସମ୍ପର୍କରେ ତାଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା…
ପ୍ର-ବ୍ୟବସାୟିକ ଯାତ୍ରା କେବେ ଆରମ୍ଭ କରିଥିଲେ, କେତେ ସଫଳ ହୋଇଛନ୍ତି?
ଉ- ୧୯୭୬ରେ ଓଡ଼ିଶା ଫେରିବା ପରେ ନିଜର ବ୍ୟବସାୟ ପାଇଁ ସ୍ଥିର କରିଥିଲି। ବ୍ୟବସାୟରେ ସଫଳ ହେବି କି ନାହିଁ ବୋଲି କିଛି ଚିନ୍ତା କରି ନ ଥିଲି। କହିବାକୁ ଗଲେ ଜିରୋ ଇନଭେଷ୍ଟମେଣ୍ଟରୁ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଥିଲି। ବର୍ତ୍ତମାନ ଓଡ଼ିଶା ସମେତ ଛତିଶଗଡ଼ ଓ ମଧ୍ୟପ୍ରଦେଶକୁ ବ୍ୟବସାୟ ବିସ୍ତାର ହୋଇଛି। ୩୦ରୁ ଅଧିକ ସ୍ଥାନୀୟ ବ୍ରାଣ୍ଡ୍ ଓ ନ୍ୟାଶନାଲ୍ ବ୍ରାଣ୍ଡ୍ର ମେଲ୍ ଓ ଫିମେଲ୍ ଗାର୍ମେଣ୍ଟ ଆମେ ଗ୍ରାହକଙ୍କ ପାଖରେ ପହଞ୍ଚାଇପାରୁଛୁ। ୨୦୧୦ରେ ଜ୍ୱାଇଁ ଉମେଶ ଅଗ୍ରଓ୍ବାଲ ବ୍ୟବସାୟରେ ଯୋଡ଼ିହୋଇଥିବାବେଳେ ଏସ୍ ସ୍କୋୟାର ଅଧୀନରେ ୧୮୦ ଫ୍ରାଞ୍ଚାଇଜ୍ ଏବଂ ନିଜସ୍ବ ୧୫ଟି ଷ୍ଟୋର ରହିଛି।
ପ୍ର-ଏସ୍ ସ୍କୋୟାର ଲୋକପ୍ରିୟତା ପଛର ରହସ୍ୟ କ’ଣ?
ଉ- ୩୦ ବର୍ଷର ବ୍ୟବସାୟ ମଧ୍ୟରେ ବ୍ୟପାରୀଙ୍କ ସହ ଉତ୍ତମ ସମ୍ପର୍କ, ଉତ୍ତମ ମାନର ଉପତ୍ାଦ ଯୋଗାଣ ଏବଂ ଚାହିଦା ମୁତାବକ ସାଇଟ୍ରସ୍, କ୍ରିମଶନ୍ କ୍ଲବ, ମାନ୍ୟବର, ମୁଫତି, ରୁକିସ୍, ସକସେସ୍ ଓ ଟର୍ଟଲ ଭଳି ଏକ୍ସକ୍ୟୁସିଭ୍ ବ୍ରାଣ୍ଡର ମେନସ୍ ଗାର୍ମେଣ୍ଟ ଉପଲବ୍ଧ କରାଇ ଏସ୍ ସ୍କୋୟାର ଲୋକପ୍ରିୟତା ହାସଲ କରିଛି। ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଉଛି ପକେଟକୁ ସୁହାଇଲା ଭଳି ଦରରେ ବ୍ୟବସାୟୀ ଆମଠାରୁ ଜିନିଷ ପାଉଛନ୍ତି।
ପ୍ର- ବାର୍ଷିକ ଟର୍ନଓଭର କେତେ ରହୁଛି ଓ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛନ୍ତି?
ଉ- ରାଜ୍ୟ ତଥା ରାଜ୍ୟବାହାରେ ବ୍ୟବସାୟ ଚାଲିଥବବାବେଳେ ବାର୍ଷିକ ଟର୍ନଓଭର ୨୫୦ କୋଟିରୁ ଅଧିକ ରହୁଛି। ବର୍ତ୍ତମାନ ଶତାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛୁ। ଆଗକୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଯୋଜନା ରହିଛି।
ପ୍ର- ଅନଲାଇନ୍ ବ୍ୟବସାୟ ଏହି ଶିଳ୍ପ ଉପରେ କ’ଣ ପ୍ରଭାବ ରହିଛି? ବ୍ୟବସାୟ ସମ୍ପ୍ରସାରଣ ନେଇ କ’ଣ ଚିନ୍ତା କରିଛନ୍ତି?
ଉ- ଅନଲାଇନ୍ ବ୍ୟବସାୟ ଆମ ଶିଳ୍ପରେ ବିଶେଷ ପ୍ରଭାବ ପକାଇପାରିନାହିଁ। କାରଣ ଆମ ପାଖରେ ଉପଲବ୍ଧ ହେଉଥିବା ଉପତ୍ାଦ ବ୍ୟବସାୟୀମାନେ ଆଖିରେ ଦେଖି ହାତରେ ପରଖି କିଣିବାର ସୁଯୋଗ ପାଉଛନ୍ତି। ଯାହା ଅନଲାଇନ୍ରେ ସମ୍ଭବ ନୁହେଁ। ବର୍ତ୍ତମାନ ଆମ ବ୍ୟବସାୟରେ ମେନସ୍ କାଜୁଆଲ, ଜିନ୍ସ, ବ୍ଲେଜର ଆଦି ଉପଲବ୍ଧ ରହିଛି। ୫ରୁ ଅଧିକ ବ୍ରାଣ୍ଡର ଓ୍ବିମେନସ୍ ଗାର୍ମେଣ୍ଟ ଏଣିକି ଯୋଡ଼ାଯାଇଥିବାବେଳେ ଏହାକୁ ସମ୍ପ୍ରସାରିତ କରିବା ଯୋଜନା ରହିଛି। ଆଗକୁ କିଡସ୍ କ୍ୟାଟୋଗୋରୀକୁ ଧ୍ୟାନ ରଖି କିଛି ଅଭିନବ ଉପାୟରେ ବ୍ୟବସାୟ ଆଗକୁ ବଢ଼ାଇବୁ।
ପ୍ର-ଏହି ଶିଳ୍ପରେ ଆସୁଥିବା ଆହ୍ବାନର ମୁକାବିଲା ପାଇଁ ନୂଆ ଉଦ୍ୟୋଗୀଙ୍କୁ କ’ଣ ପରାମର୍ଶ ଦେବେ?
ଉ- ପ୍ରତ୍ୟେକ ଶିଳ୍ପ ପରି ଏହି ବ୍ୟବସାୟରେ ମଧ୍ୟ ଅନେକ ଆହ୍ବାନ ରହିଛି। ତେବେ ସମସ୍ତ ଆହ୍ବାନର ମୁକାବିଲା ପାଇଁ ଶ୍ରେଷ୍ଠ ଉପାୟ ହେଉଛି ଧୈର୍ଯ୍ୟ। ଧୈର୍ଯ୍ୟର ସହ କଠିନ ପରିଶ୍ରମ ଦ୍ୱାରା ସଫଳତାର ରାସ୍ତା ପରିଷ୍କାର ହୋଇଯାଇଥାଏ। ବ୍ୟବସାୟରେ ସଚ୍ଚୋଟତା ରକ୍ଷା କରିବା, ବ୍ୟବସାୟୀ ହୁଅନ୍ତୁ ବା ଗ୍ରାହକ ସଭିଁଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି ସବୁ କଥା ସଫଳତାର ମୂଳମନ୍ତ୍ର ବୋଲି ମୁଁ ବିଚାର କରେ। ତେଣୁ ସଫଳ ଉଦ୍ୟୋଗୀ ହେବା ପାଇଁ ଏଥିପ୍ରତି ସଜାଗ ରହିବା ଉଚିତ୍।
-ସାକ୍ଷାତ୍କାର: ଅନୁରାଧା ମହାରଣା, ଭୁବନେଶ୍ୱର