ବରୀ,୧୮।୩(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ଅଧିନସ୍ଥ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟର ଜୈନକା ଛାତ୍ରୀଙ୍କୁ ଅର୍ଥନୀତି ବିଭାଗର ଅଧ୍ୟାପକ ବିଦ୍ୟାଧର ଧଳ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଜଣଙ୍କ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଧ୍ୟାପକଙ୍କୁ ଗିରଫ ପାଇଁ ସମ୍ପୃକ୍ତ ଛାତ୍ରୀଙ୍କ ପରିବାର,ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଫାଟକ ସମ୍ମୁଖରେ ବସି ରହି ଦାବି କରିଥିଲେ। ଅନ୍ୟପଟେ ପୀଡିତା ଛାତ୍ରୀଜଣଙ୍କ ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ବରୀ ପୋଲିସର କର୍ମଚାରୀମାନେ ତାଙ୍କୁ ଏହି ଘଟଣାରୁ ତାଙ୍କୁ ନିବୃତ୍ତ କରିଥିଲେ। ବରୀ ପୋଲିସ ୧୬/୨୫ ରେ ଏକ ମାମଲା ରୁଜୁ କରି ମହାବିଦ୍ୟାଳୟର ଅଧକ୍ଷ ସୁଧୀର କୁମାର ରାଉତ ଏବଂ ତାଙ୍କର ସହଯୋଗୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
ନାବାଳିକା ଛାତ୍ରୀଙ୍କୁ ଏଭଳି ଅସଦାଚରଣ କରାଯିବା ଘଟଣାକୁ ଗୁରୁତ୍ୱ ଦେଇ ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକଙ୍କ ନେତୃତ୍ୱରେ ଥାନା ଘେରାଉ କରାଯିବା ସହ ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ବରୀ ବିଜେଡି ପକ୍ଷରୁ ପ୍ରଶାସନକୁ ଚେତାବନୀ ଦିଆଯାଇଥିଲା। ଘଟଣାକୁ ଗୁରୁତ୍ୱ ଦେଇ ମହାବିଦ୍ୟାଳୟର ଅଧକ୍ଷ ସୁଧୀର କୁମାର ରାଉତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ ତଥା ଅର୍ଥନୀତି ବିଭାଗର ଅଧ୍ୟାପକ ବିଦ୍ୟାଧର ଧଳଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ସମ୍ପୃକ୍ତ ଅଧ୍ୟାପକଙ୍କୁ ଗିରଫ କରିବା ପାଇଁ ବରୀ ରାମଚନ୍ଦ୍ରପୁର ଥାନା ଅଧିକାରିଣୀ ଜ୍ୟୋତ୍ରିମୟୀ ସେଠି ପୋଲିସ ବିଭାଗର ଏକ ସ୍ବତନ୍ତ୍ର ଟିମ ଗଠନ କରି ଉଦ୍ୟମ ଜାରି ରଖିଥିଲେ। ମଙ୍ଗଳବାର ବରୀ ପୋଲିସ ଓ ଯାଜପୁର ପୋଲିସର ମିଳିତ ସହଯୋଗରେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।