Categories: ଜାତୀୟ

ପ୍ରଫେସର୍‌ ଗୋବିନ୍ଦରାଜନ ପଦ୍ମନାଭନ ପାଇବେ ଭାରତର ପ୍ରଥମ ବିଜ୍ଞାନ ରତ୍ନ ପୁରସ୍କାର

ନୂଆଦିଲ୍ଲୀ, ୮।୮: ଭାରତର ପ୍ରଥମ ବିଜ୍ଞାନ ରତ୍ନ ପୁରସ୍କାର ପାଇଁ ପ୍ରସିଦ୍ଧ ଜୈବ ରସାୟନବିତ୍‌ ଗୋବିନ୍ଦରାଜନ ପଦ୍ମନାଭନଙ୍କ ନାମକୁ ବୁଧବାର ଚୟନ କରାଯାଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷଠାରୁ କେନ୍ଦ୍ର ସରକାର ଏହି ସମ୍ମାନଜନକ ପୁରସ୍କାର ଆରମ୍ଭ କରିଛନ୍ତି। ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ୭୪ ବର୍ଷୀୟ ଗୋବିନ୍ଦରାଜନ ଇଣ୍ଡିଆନ୍‌ ଇନଷ୍ଟିଟ୍ୟୁଟ୍‌ ଅଫ୍‌ ସାଇନ୍ସ(ଆଇଆଇଏସ୍‌ସି)ର ପୂର୍ବତନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ସେ ଏବେ ତାମିଲନାଡ଼ୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି କେନ୍ଦ୍ର ସରକାର ବୁଧବାର ୩୩ଟି ଜାତୀୟ ବିଜ୍ଞାନ ପୁରସ୍କାରର ନାମ ଘୋଷଣା କରିଛନ୍ତି। ସେଥିମଧ୍ୟରେ ଯୁବ ବୈଜ୍ଞାନିକଙ୍କ ପାଇଁ ୧୮ଟି ବିଜ୍ଞାନ ଯୁବ ପୁରସ୍କାର, ୧୩ଟି ବିଜ୍ଞାନ ଶ୍ରୀ ପୁରସ୍କାର ଓ ଗୋଟିଏ ବିଜ୍ଞାନ ଟିମ୍‌ ପୁରସ୍କାର ରହିଛି। ‘ଟିମ୍‌ ଚନ୍ଦ୍ରଯାନ ୩’କୁ ବିଜ୍ଞାନ ଟିମ୍‌ ପୁରସ୍କାର ଦିଆଯିବ। ଆସନ୍ତା ୨୩ରେ ଜାତୀୟ ମହାକାଶ ଦିବସ ଅବସରରେ ଏହି ପୁରସ୍କାରଗୁଡ଼ିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିବେ। ଚନ୍ଦ୍ରର ଦକ୍ଷିଣ ମେରୁରେ ‘ଚନ୍ଦ୍ରଯାନ-୩’ର ଅବତରଣକୁ ସ୍ମରଣ କରିବା ପାଇଁ ଏହି ଦିବସକୁ ପାଳନ କରାଯାଉଛି।

Share