Categories: ଜାତୀୟ

ମୁସଲମାନଙ୍କ ପାଇଁ ସ୍ବତନ୍ତ୍ର ଭୂଖଣ୍ଡ ଦାବିକରି ବିବାଦରେ ପ୍ରଫେସର

ପାଟନା, ୮।୧: ବିହାର ସିଓ୍ବାନସ୍ଥିତ ନାରାୟଣ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଖୁର୍ଶିଦ ଆଲମ୍‌ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ମୁସଲମାନମାନଙ୍କ ପାଇଁ ଅଲଗା ଦେଶ ଦାବି କରି ଅଡ଼ୁଆରେ ପଡ଼ିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଆଲମଙ୍କ ପୋଷ୍ଟକୁ ନେଇ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି। ବିବାଦ ପରେ ପ୍ରଫେସର ଆଲମ୍‌ ତୁରନ୍ତ ତାଙ୍କ ପଦବୀରୁ ଇସ୍ତଫା ଦେବା ସହ କ୍ଷମା ମାଗିଛନ୍ତି। ସେ ତାଙ୍କ ପୋଷ୍ଟ ଜରିଆରେ କାହାର ଭାବାବେଗକୁ ଆଘାତ ଦେବାକୁ ଚାହିଁ ନ ଥିଲେ ବୋଲି କହିଛନ୍ତି। ସେ ସମସ୍ତ ବିବାଦୀୟ ପୋଷ୍ଟକୁ ଡିଲିଟ୍‌ କରିଦେଇଛନ୍ତି। ନାରାୟଣ କଲେଜରେ ରାଜନୀତି ବିଜ୍ଞାନ ମୁଖ୍ୟ ଥିବା ଆଲମ ସୋସିଆଲ ମିଡିଆରେ ୨ଟି ପୋଷ୍ଟ କରିଥିଲେ। ଗୋଟିଏରେ ସେ ପାକିସ୍ତାନ ଓ ବାଂଲାଦେଶ ଜିନ୍ଦାବାଦ ଲେଖିଥିବାବେଳେ ଅନ୍ୟଟିରେ ଭାରତୀୟ ମୁସଲମାନମାନେ ଅଲଗା ଭୂଖଣ୍ଡ ଚାହାନ୍ତି ବୋଲି ଲେଖିଥିଲେ।

Share