ଗମ୍ଭାରୀମୁଣ୍ଡା,୧୩।୫(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ପର୍ଶୁରାମ ମହାବିଦ୍ୟାଳୟ +୨ ଏଜୁକେଶନ ଅଧ୍ୟାପକ ନୀଳମଣି ଘଡ଼ାଇଙ୍କ ୫୩ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଜଣେ ଆଦର୍ଶ ଅଧ୍ୟାପକ ଥିଲେ। ଶୁକ୍ରବାର ବିଳମ୍ବିତ ରାତ୍ରିରେ ହଠାତ୍ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ନୀଳମଣିଙ୍କ ଘର ଟାଙ୍ଗୀ ଥାନା କାଳୁପଡ଼ା ବାଲିନାସି ଗ୍ରାମରେ। ସେ ଦୀର୍ଘ ୨୮ବର୍ଷ ଧରି ପର୍ଶୁରାମ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ଆସୁଥିଲେ । ସବୁଦିନ ପରି ଶୁକ୍ରବାର ରାତିରେ ଖିଆପିଆ କରି ଶୋଇ ଯାଇଥିଲେ । ସକାଳୁ ତାଙ୍କର ଉଠିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଉଠାଇଥିଲେ। ହେଲେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ତୁରନ୍ତ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଟାଙ୍ଗୀ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।