ରୁଷିଆ ସହ ବୁଝାମଣା ପାଇଁ ବାଇଡେନ୍‌ଙ୍କୁ ଡେମୋକ୍ରାଟ୍‌ଙ୍କ ଚିଠି

ଓ୍ବାଶିଂଟନ୍‌, ୨୬।୧୦: ୟୁକ୍ରେନ୍‌ ଯୁଦ୍ଧ ବନ୍ଦ କରିବା ପାଇଁ ମସ୍କୋ ସହ ଓ୍ବାଶିଂଟନ୍‌ ବୁଝାମଣା କରୁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଡେମୋକ୍ରାଟିକ୍‌ ପାର୍ଟିର ୩୦ ଜଣ ହାଉସ୍‌ ମେମ୍ବର ତାଙ୍କୁ ଚିଠି ଲେଖିଛନ୍ତି। ସେମାନେ ରୁଷିଆର ଆକ୍ରମଣକୁ ବେଆଇନ ବୋଲି କହିବା ସହ ଏହାକୁ ନିନ୍ଦା କରିଥିଲେ ହେଁ ବୁଝାମଣା ୟୁକ୍ରେନ୍‌ ଉପରେ ନିର୍ଭର କରେ ବୋଲି ମଧ୍ୟ କହିଛନ୍ତି। ଟିକସଦାତାଙ୍କ ନିୟୁତ ନିୟୁତ ଡଲାର ୟୁକ୍ରେନ୍‌ ଯୁଦ୍ଧରେ ଲାଗୁଥିବାରୁ ଏଥିପାଇଁ ଆମେରିକୀୟ ଆଇନ ପ୍ରଣେତାମାନେ ଉତ୍ତରଦାୟୀ। ତେଣୁ ଯୁଦ୍ଧ ଶେଷ କରିବା ପାଇଁ ସମସ୍ତ ସମ୍ଭାବ୍ୟ ରାସ୍ତା ଖୋଜିବା ମଧ୍ୟ ଆମେରିକାର ବଡ଼ ଦାୟିତ୍ୱ ବୋଲି ଆଇନ ପ୍ରଣେତାମାନେ ଚିଠିରେ ଉଲ୍ଲେଖ କରିଛନ୍ତି। ହାଉସ୍‌ ପ୍ରୋଗ୍ରେସିଭ୍‌ କାକସ୍‌ର ଲିଡର ପ୍ରମିଳା ଜୟପାଲଙ୍କ ନେତୃତ୍ୱରେ ଡେମୋକ୍ରାଟ୍‌ମାନେ ଏହି ଚିଠି ଲେଖିଛନ୍ତି। ୟୁକ୍ରେନ୍‌ ପାଇଁ ସ୍ବୀକାରଯୋଗ୍ୟ ହେବାଭଳି ସମାଧାନର ରାସ୍ତା ଖୋଜି ଆମେରିକା ରୁଷିଆ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରୁ ବୋଲି ଏଥିରେ ଆହ୍ବାନ ଦିଆଯାଇଛି। ଏହା ଦ୍ୱାରା ଶତ୍ରୁତା ଶେଷ କରିବା ପାଇଁ ପ୍ରୋତ୍ସାହନ ମିଳିପାରିବ। ସ୍ବାଧୀନ ୟୁକ୍ରେନ୍‌କୁ ସୁରକ୍ଷା ଗ୍ୟାରେଣ୍ଟି ଦେବା ନିମନ୍ତେ ଅନ୍ତର୍ଜାତୀୟ ସମୁଦାୟ ଏକାଠି ହୋଇ ବାଟ ବାହାର କରାଯାଇପାରିବ। ସବୁ ପକ୍ଷ ବିଶେଷକରି ୟୁକ୍ରେନ୍‌କୁ ସୁହାଇବା ଭଳି ଆଲୋଚନା ହୋଇପାରିବ ବୋଲି ସେମାନେ ଚିଠିରେ ଗୁରୁତ୍ୱ ଦେଇଛନ୍ତି।
ନେଇ ଆମେରିକା ପରରାଷ୍ଟ୍ର ବିଭାଗ ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି, ଏହି ଯୁଦ୍ଧ ଶେଷ ହେଉ ବୋଲି ୟୁକ୍ରେନ୍‌ଠାରୁ ଅଧିକ କେହି ଚାହୁଁ ନ ଥିବେ। କିନ୍ତୁ କେବେ ତାହା ହେବ ଜଣାନାହିଁ। କାରଣ ଆଲୋଚନା ବା ବୁଝାମଣା ପାଇଁ ରୁଷିଆ ପକ୍ଷରୁ କୌଣସି ଆଗ୍ରହ ଦେଖାଯାଉନାହିଁ। ବୁଝାମଣା ଟେବୁଲରେ ୟୁକ୍ରେନ୍‌ ନିଜର ପକ୍ଷ ଦୃଢ଼ ଭାବେ ରଖିବା ପାଇଁ ୟୁକ୍ରେନୀୟ ସହଯୋଗୀଙ୍କୁ ଆମେରିକା ସମର୍ଥନ ଦେଉଛି ବୋଲି ସେ କହିଛନ୍ତି।

Share