Categories: ଜାତୀୟ

ତଲାକ୍‌ ରୋକିବାରେ ବିଫଳ ହୋଇଛି ନିଷେଧାଦେଶ

ନୂଆଦିଲ୍ଲୀ,୨୭ା୪: ୨୦୧୭ର ଶାୟରା ବାନୋ ମାମଲାରେ ସୁପ୍ରିମକୋର୍ଟ ତିନି ତଲାକ୍‌ ପ୍ରଥା ଅବୈଧ ବୋଲି ରୁଲିଂ ଦେବା ଏବଂ ସର୍ବଭାରତୀୟ ମୁସ୍‌ଲିମ୍‌ ପର୍ସନାଲ ଲ’ ବୋର୍ଡର ପ୍ରତିଶ୍ରୁତି ସତ୍ତ୍ୱେ ଦେଶର ବିଭିନ୍ନ ଭାଗରେ ତିନି ତଲାକ୍‌ ଜରିଆରେ ଛାଡ଼ପତ୍ର ଘଟିଚାଲିଛି। ସୁପ୍ରିମକୋର୍ଟଙ୍କ ରାୟ ଏହାକୁ ରୋକିବାରେ ବିଫଳ ହୋଇଥିବା କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଛନ୍ତି। ଦଣ୍ଡ ବ୍ୟବସ୍ଥାର ଅଭାବରୁ ପୋଲିସ ନିଃସହାୟ ହୋଇପଡ଼ିଥିଲା ଏବଂ ତଲାକ୍‌ ଦେଉଥିବା ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁ ନ ଥିଲା ବୋଲି ସତ୍ୟପାଠରେ କୁହାଯାଇଛି। ଏପରିକି ଶିକ୍ଷିତ ବ୍ୟକ୍ତି ମଧ୍ୟ ତତ୍କାଳ ତିନି ତଲାକ୍‌ ଜରିଆରେ ସେମାନଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଉଥିବା ଖବର ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲ ଓ ଖବରକାଗଜରେ ପ୍ରକାଶ ପାଉଛି। ଛାଡ଼ପତ୍ର ମାମଲା ନ କମିବାରୁ ମୁସଲମାନ (ବିବାହ ଅଧିକାର ସୁରକ୍ଷା) ଆଇନ, ୨୦୧୯ ଆଣିବାକୁ ପଡ଼ିଥିଲା। ବିବାହିତ ମୁସଲମାନ ମହିଳା ପ୍ରତି ଲିଙ୍ଗଗତ ନ୍ୟାୟ ଓ ସମାନତାର ସାମ୍ବିଧାନିକ ଲକ୍ଷ୍ୟ ସୁନିଶ୍ଚିତ କରିବା ଲାଗି ଓ ସେମାନଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ଉପରୋକ୍ତ ଆଇନ ଅଣାଯାଇଥିଲା ବୋଲି କେନ୍ଦ୍ର ସରକାର ସତ୍ୟପାଠରେ କହିଛନ୍ତି। ମୁସଲମାନ ମହିଳା (ବିବାହ ଅଧିକାରୀ ସୁରକ୍ଷା) ବିଲ୍‌, ୨୦୧୯କୁ ଅସାମ୍ବିଧାନିକ ଏବଂ ଅନୁଚ୍ଛେଦ ୧୪, ୧୫, ୨୧ ଏବଂ ୨୫ର ଉଲ୍ଲଂଘନ ବୋଲି ଘୋଷଣା କରିବାକୁ ଏକାଧିକ ପିଟିଶନ ସର୍ବୋଚ୍ଚ ଅଦାଲତରେ ଦାଏର ହୋଇଥିବାବେଳେ ସରକାର ଏହାର ଜବାବ ରଖିଛନ୍ତି।

Share